Categories: ଜାତୀୟ

ଧର୍ମାନ୍ତରଣ ମାମଲାରେ ୫ ଲକ୍ଷ ଜରିମାନା-୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଆଇନ ଆଣିବେ ରାଜ୍ୟ ସରକାର…

ବେଙ୍ଗାଲୁରୁ, ୧୯।୧୨: କର୍ନାଟକରେ ଭାଜପା ସରକାର ବିଧାନସଭା ଅଧିବେଶନରେ ଧର୍ମାନ୍ତରଣ ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟର ବାସବରାଜ ବୋମ୍ମାଇ ସରକାର ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି।

ବିଲର ନୂତନ ଡ୍ରାଫ୍ଟରେ ଦଣ୍ଡର ଅବଧି ତିନି ବର୍ଷ ଜେଲରୁ ୧୦ ବର୍ଷକୁ ବୃଦ୍ଧି ଏବଂ ଜରିମାନା ପରିମାଣକୁ ୫୦ ହଜାରରୁ ଏକ ଲକ୍ଷ ଏବଂ ୫ ଲକ୍ଷକୁ ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସୂଚନାନୁସାରେ, ରାଜ୍ୟ ସରକାର ଏହି ସପ୍ତାହରେ ବିଧାନସଭାରେ କର୍ନାଟକ ଧର୍ମ ସ୍ବତନ୍ତ୍ରତା ଅଧିକାର ସଂରକ୍ଷଣ ବିଲ-୨୦୨୧ ଉପସ୍ଥାପନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ହିନ୍ଦୁ ଧର୍ମରୁ ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମକୁ ପରିବର୍ତ୍ତନ ହେଉଥିବା କେତେକ ଖବର ମିଳିବା ପରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି।

ଶୀତକାଳୀନ ଅଧିବେଶନରେ ଶାସକ ଭାଜପା କର୍ନାଟକ ବିଧାନସଭାରେ ଏହି ବିଲ ଆଗତ କରିବାକୁ ଦାବି କରୁଛି। ପ୍ରସ୍ତାବିତ ଆଇନର ଆଇନଗତ ଦିଗ ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ଗତ କିଛି ଦିନ ମଧ୍ୟରେ ଅନେକ ବୈଠକ ମଧ୍ୟ କରିଛନ୍ତି। ଏହି ବିଲରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ନାବାଳକ ଏବଂ ମହିଳାଙ୍କୁ ଅନ୍ୟ ଧର୍ମକୁ ବାଧ୍ୟତାମୂଳକ ଧର୍ମାନ୍ତର କରିବା ପାଇଁ ସର୍ବାଧିକ ୧୦ ବର୍ଷ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି।

Share