ବରଗଡ଼ରେ କୋହଳ ହେଲା କଟକଣା

ବରଗଡ଼ ଅଫିସ୍‌,୪।୮: ବରଗଡ଼ ଜିଲାରେ ମଙ୍ଗଳବାରରୁ କରୋନା କଟକଣାକୁ କୋହଳ କରାଯାଇଛି। ଏ ନେଇ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ଏଣିକି ଜିଲାର ସମସ୍ତ ବ୍ୟବସାହିକ ପ୍ରତିଷ୍ଠାନ ଅର୍ଥାତ୍‌ ଦୋକାନ, ବଜାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ତେବେ ଉଭୟ ଦୋକାନୀ ଓ ଗରାଖଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ସେଲୁନ୍‌, ସ୍ପା, ବିଉଟିପାର୍ଲରରେ ଗରାଖଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଆବଶ୍ୟକ ସତର୍କତା, ସାନିଟେଇଜେଶନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକଙ୍କ ସମାବେଶ ଉପରେ କଟକଣା ରହିଛି। ଏହା ସହିତ ବିବାହୋତ୍ସବରେ ଅତି ବେଶୀରେ ୫୦ ଏବଂ ଶବଦାହ, ଶେଷକୃତ୍ୟ କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଲୋକ ଜମା ହୋଇପାରିବେ ନାହିଁ ବୋଲି କଟକଣା ରହିଛି । ସେହିପରି ସର୍ବସାଧାରଣ ସ୍ଥାନରେ ଗୁଟ୍‌ଖା, ମଦ, ପାନ, ତମାଖୁ ବ୍ୟବହାର ତଥା ଛେପ ପକାଇବା ଉପରେ କଟକଣା ରହିଥିବାବେଳେ ଏହାକୁ ଉଲ୍ଲଂଘନ କଲେ ଜରିମାନା ଆଦାୟ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ଜିଲା ମଧ୍ୟରେ କିମ୍ବା ଜିଲା ବାହାରକୁ ଉଭୟ ଯାତ୍ରୀବାହୀ, ମାଲବାହୀ ଗାଡ଼ି ଚଳାଚଳ କରି ପାରିବ ଏବଂ ଏଥିପାଇଁ ପୂର୍ବଭଳି ଆଉ ପାସ୍‌, ଅନୁମତି ଲୋଡ଼ା ନାହିଁ । ତେବେ ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ ଅନୁଯାୟୀ, ଯାତ୍ରୀବାହୀ ଗାଡ଼ି ତଥା ବସ୍‌, ଅଟୋ, ରିକ୍ସା ଆଦିରେ ଉଦ୍ଦିଷ୍ଟ ସଂଖ୍ୟକ ଯାତ୍ରୀ ଯାତାୟାତ କରି ପାରିବେ ।
ସେହିପରି ସର୍ବନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ, ବେସରକାରୀ ଅଫିସ୍‌, ବ୍ୟାଙ୍କ ଚାଲିବ । ମାତ୍ର ସମ୍ପୃକ୍ତ ଅଫିସରେ ହାତ ଧୋଇବା, ସାନିଟାଇଜ୍‌ ସହିତ ସାମଜିକ ଦୂରତ୍ୱ ରକ୍ଷା ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷେ ପୂର୍ବଭଳି ଧାର୍ମିକ ଅନୁଷ୍ଠାନ, ପୂଜାପୀଠ ସିନେମା ହଲ, ସୁଇମିଂ ପୁଲ୍‌, ଥିଏଟର, ବାର୍‌, ଅଡଟୋରିୟମ, ସାମାଜିକ, ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ, ସମାବେଶରେ କଟକଣା ଲାଗୁ ରହିଛି । ସ୍କୁଲ, କଲେଜ, କୋଚିଂ ସେଣ୍ଟର ଏବଂ ଅନ୍ୟ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରେଷ୍ଟାରୁଣ୍ଟ, ହୋଟେଲଗୁଡ଼ିକ ହୋମ ଡେଲିଭରି କରି ପାରିବେ ବୋଲି କଟକଣା ରହିଛି ।
ଅନ୍ୟପଟେ ରାତ୍ରି ୯ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫୁ କଟକଣା ଲାଗୁହୋଇ ଥିବାବେଳେ ଏହି ସମୟରେ ଜରୁରୀ କାମ ବ୍ୟତୀତ କେହି ପଦାକୁ ନ ବାହାରିବା ପାଇଁ ପରାର୍ଶ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକୀୟ ଜରୁରୀ କାମ ନଥିଲେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧ, ଗର୍ଭବତୀ ଏବଂ ୧୦ବର୍ଷ ପର୍ଯ୍ୟନ୍ତ ଶିଶୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ ସୂଚାଇ ଦିଆଯାଇଛି ।