ବରଗଡ଼ରେ ପୁଣି ୧୦୬ ଜଣଙ୍କୁ କରୋନା: ସଂକ୍ରମଣ ଅଣାୟତ୍ତ

ବରଗଡ଼ ଅଫିସ,୨୬।୯: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଅଣାୟତ୍ତ ହୋଇ ପଡିଛି। ଗତ କିଛିଦିନ ହେଲା, ପ୍ରତିଦିନ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏବଂ ଏହା ଜିଲାବାସୀଙ୍କ ପାଇଁ ଚିନ୍ତାଜନକ ହୋଇ ପଡିଛି। ଶନିବାର ଜିଲାରେ ୧୦୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ୱାର୍‌ ନଂ-୧୩ର ଜଣେ ଶତାୟୁ ମହିଳା(୧୦୨) ଏବଂ ଜିଲାର ଅନ୍ୟ ୯ଜଣ ଶିଶୁ ଅଛନ୍ତି। ଏହାପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୧୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୯୦୭ ଜଣ ସୁସ୍ଥ ହୋଇ ସାରିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଆକ୍ରାନ୍ତମାନେ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଥିବା ସୂଚନା ଦିଆଯାଇଛି।