ବନ୍ତଳା ବନାଞ୍ଚଳରେ ଥମୁନି ଦନ୍ତା ଦୌରାତ୍ମ୍ୟ

ଅନୁଗୋଳ ଅଫିସ,୮।୫: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଦନ୍ତା ଦୌରାତ୍ମ୍ୟ ଥମିବାର ନାଁ ନେଉନାହିଁ। ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଶୁଣ୍ଢରେ ପିଟି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୃତା ହେଲେ ତଳଗଡ଼ ଗ୍ରାମର ବିଜୁଳି ସାହୁ (୬୨)। ମହିଳାଙ୍କୁ କଚାଡ଼ି ମାରିଦେବା ପରେ ହିଂସ୍ର ହାତୀ ପ୍ରାୟ ଘଣ୍ଟାଏ ଧରି ସୋଲାର ତାରବାଡ଼ରେ ଫସିରହିଥିଲା। ବିଦ୍ୟୁତ୍‌ ସରବରାହ ବନ୍ଦ କରି ତାର କଟାଯିବା ପରେ ହାତୀ ବାହାରକୁ ବାହାରିଥିବା ବନାଞ୍ଚଳ ଅଧିକାରୀ ନୀଳାଦ୍ରିନାଥ ସାହୁ ସୂଚନା ଦେଇଛନ୍ତି।
ତଳଗଡ଼ ଗ୍ରାମର ବିଜୁଳି ରବିବାର ଭୋର୍‌ ସମୟରେ ତୋଟାକୁ ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକଙ୍କ କହିବା କଥା, ଜମିରେ ଶନିବାର ହଳ କରାଯାଇଥିବାରୁ ପରିବାର ସଦସ୍ୟ ସୋଲାର ତାର ଟେକିଦେଇଥିଲେ। ଏହି ବାଟ ଦେଇ ହାତୀ ଆମ୍ବ ବଗିଚାରେ ପଶିଥିଲା। ଫଳରେ ଏଭଳି ଅଘଟଣ ଘଟିଲା।
ଅନୁଗୋଳ ଜିଲାରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ଚଳିତ ବର୍ଷ ଜାନୁୟାରୀ ୧ରୁ ଅଦ୍ୟାବଧି ହାତୀ ଆକ୍ରମଣରେ ୧୫ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ବନ୍ତଳା ବନାଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଜିଲାରେ ହାତୀ ଆକ୍ରମଣଜନିତ ମୃତ୍ୟୁ ବଢୁଥିବାବେଳେ ବନ ବିଭାଗ ଉପରେ ବର୍ଷିଛନ୍ତି ପୂର୍ବତନ ରାଜ୍ୟ ସଭା ସଦସ୍ୟ ରୁଦ୍ରନାରାୟଣ ପାଣି। ସେ କହିଛନ୍ତି, ହାତୀ-ମଣିଷ ଲଢ଼େଇରେ ବହୁମୂଲ୍ୟ ଜୀବନ ଯାଉଛି। ହାତୀ ଦାଉରୁ ଲୋକଙ୍କୁ ରକ୍ଷା କରିବାରେ ବନ ବିଭାଗ ବିଫଳ ହେଉଛି। କର୍ମଚାରୀମାନେ ଠିକ୍‌ ଭାବେ ଦାୟିତ୍ୱ ତୁଲାଉନାହାନ୍ତି। ତେଣୁ ସେମାନଙ୍କୁ ଅନ୍ୟତ୍ର ବଦଳି କରି ଅଧିକ ସଂଖ୍ୟକ ହାତୀ ସ୍କ୍ବାଡ୍‌ ନିୟୋଜିତ କରିବାକୁ ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବନ୍ତଳା ବନାଞ୍ଚଳ ଅଧିକାରୀ ସାହୁ କୁହନ୍ତି, ବାରମ୍ବାର ସଚେତନ କରାଗଲେ ମଧ୍ୟ ଲୋକମାନେ ଅମାନିଆ ହୋଇ ଭୋର ସମୟରେ ଆମ୍ବ ଗୋଟାଇବାକୁ ଯାଉଛନ୍ତି। ଫଳରେ ଏଭଳି ଘଟଣା ଘଟୁଛି।