Categories: ଖେଳ

ଆର୍‌ଡୋର ଏକାଡେମୀ କ୍ୱାର୍ଟରରେ

ଭୁବନେଶ୍ୱର, ୧୪ା୮ (ବିଜୟ ରଣା): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଭୁବନେଶ୍ୱର ଫୁଟ୍‌ବଲ ଏକାଡେମୀ ପଡ଼ିଆରେ ଚାଲିଥିବା ‘ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟ୍‌ବଲ ଲିଗ୍‌ରେ ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା। ପ୍ରଥମ ମ୍ୟାଚରେ ଆଡ୍‌ଡୋର ଏକାଡେମୀ (ସିନିୟର) ୨-୦ ଗୋଲ୍‌ରେ ଏସ୍‌ଜିଓ ନୂଆପଲ୍ଲୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ବରାଡ଼ (୨୬ତମ ମିନିଟ୍‌) ଏବଂ ଅଙ୍କିତ ଯାଦବ (୫୨ତମ ମିନିଟ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ଏହି ବିଜୟ ସହ ଆର୍‌ଡୋର୍‌ ଏକାଡେମୀର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଛି। ଦଳ ଏଥିରୁ ୮ ପଏଣ୍ଟ ଅର୍ଜନ କର କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି। ଏହି ମ୍ୟାଚରେ ଜିଜ୍ଞାସୁ ମହାନ୍ତି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହେବା ସହ ଅନୁଷ୍ଠାନର ଆଥଲେଟିକ୍‌ ସେକ୍ରେଟାରୀ ଗୁରୁ ପ୍ରସାଦ ପଟ୍ଟନାୟକଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ମ୍ୟାଚକୁ ଏସ୍‌. ଏସ୍‌. ବେଗ୍‌ ପରିଚାଳନା କରିଥିଲେ। ତାଙ୍କୁ ଆଲୋକ ଦେହୁରୀ ଓ ସୁଶାନ୍ତ ମିଶ୍ର ସହାୟତା କରିଥିଲେ। ଶିବ ସାମନ୍ତରୟ ଚତୁର୍ଥ ରେଫରି ଦାୟିତ୍ୱ ତୁଲାଇଥିଲେ। ପରେ ଝାରପଡ଼ା ଫୁଟ୍‌ବଲ କ୍ଲବ ଓ ନୀଲକମଲ କ୍ଲବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଏହି ମ୍ୟାଚରେ ବଳଭଦ୍ର ସ୍ବାଇଁ ୨୭ତମ ମିନିଟ୍‌ରେ ଏକ ଗୋଲ୍‌ ସ୍କୋର କରି ନୀଲ କମଲକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧରେ ଖେଳର ୫୮ତମ ମିନିଟ୍‌ରେ ସୌମେଶ ମହାନ୍ତିଙ୍କ ପେନାଲ୍ଟି କିକ୍‌ ଜରିଆରେ ଝାରପଡ଼ା ମ୍ୟାଚକୁ ୧-୧ରେ ବରାବର କରିଥିଲା। ଫଳରେ ଉଭୟ ଦଳ ପଏଣ୍ଟ ବଣ୍ଟୁଆରା କରିଛନ୍ତି। ଝରପଡ଼ର ଫୁଟ୍‌ବଲ କ୍ଲବର ରବୁ ମିଶ୍ର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇ ପ୍ରାକ୍ତନ ସନ୍ତୋଷ ଟ୍ରଫି ଖେଳାଳି ତଥା କୋଚ୍‌ ଶଙ୍କର୍ସଣ ଜେନାଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସୋମବାର ମ୍ୟାଚ ମୁକ୍ତେଶ୍ୱର ୟୁନାଇଟେଡ୍‌ ଓ ବୀର ବିର୍ସା ୟୁଥ୍‌ କ୍ଲବ ମଧ୍ୟରେ ହେବ।

Share