Categories: ଜାତୀୟ

୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ

କୋଲକାତା,୨୨।୧୦:୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ ଆଧାରରେ ଗୁରୁବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍‌ ମିତ୍ର ଏଭଳି ଅଭିଯୋଗ ଆଣିଛନ୍ତି।
ଅର୍ଥମନ୍ତ୍ରୀ ଡକ୍ଟର ଅମିତ ମିତ୍ର ଟୁଇଟରରେ କହିଛନ୍ତି, ୨୦୧୪-୧୮ରେ ୨୩,୦୦୦ ଧନୀ ଉଦ୍ୟୋଗୀ ଭାରତ ଛାଡ଼ିଛନ୍ତି(ମୋର୍ଗାନ ଷ୍ଟାନ୍‌ଲେ ଷ୍ଟଡି), ଯାହାକି ବିଶ୍ୱରେ ସର୍ବାଧିକ। ସେହିପରି ୨୦୧୯ରେ ୭,୦୦୦ ଉଦ୍ୟୋଗୀ ଦେଶ ଛାଡ଼ିଥିବା ବିଷୟ ଆଫ୍ରାସିଆ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜିଡବ୍ଲ୍ୟୁଏମ୍‌ ରିଭ୍ୟୁ ଅନୁସାରେ ୨୦୨୦ରେ ୫,୦୦୦ ଏଣ୍ଟରପ୍ରିନ୍ୟୁର ଦେଶ ବାହାରକୁ ଯାଇଛନ୍ତି। ୨୦୧୪-୨୦ରେ ମୋଟ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ଏହି ଗଣପଳାୟନ ବିଶ୍ୱରେ ସର୍ବାଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଏତେ ସଂଖ୍ୟକ ଉଦ୍ୟୋଗୀଙ୍କ ଗଣପଳାୟନକୁ ନେଇ ପାର୍ଲାମେଣ୍ଟରେ ଶ୍ୱେତପତ୍ର ଜାରି କରନ୍ତୁ। ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ୧୯ ମିନିଟର ଭର୍ତ୍ସନାକୁ ମନେପକାନ୍ତୁ। ଭାରତୀୟ ଶିଳ୍ପଗୁଡ଼ିକ ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ଗୋୟଲ କହିବା ସହ ସେଗୁଡ଼ିକୁ ଦେଶବିରୋଧୀ ଅଭିହିତ କରିଥିଲେ। ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏଣ୍ଟରପ୍ରିନ୍ୟୁରମାନେ ବିଦେଶକୁ ଚାଲିଯାଉଛନ୍ତି କି? ମୋଦି ଗୋୟଲଙ୍କୁ ଏନେଇ କାହିଁକି ତାଗିଦ କଲେନାହିଁ ବୋଲି ମିତ୍ର ଟୁଇଟ୍‌ କରିଛନ୍ତି।

Share