Categories: ଜାତୀୟ

ପୋଲିସ ଗୁଳିରେ ୩ ବର୍ଷ ମଧ୍ୟରେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଘଟିନି, ଉପରାଜ୍ୟପାଳଙ୍କ ସୂଚନା…

ଶ୍ରୀନଗର,୧।୮ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆତଙ୍କବାଦୀ ଇକୋ-ସିଷ୍ଟମକୁ ଅନେକାଂଶରେ ବିଲୋପ କରାଯାଇଛି। ଏ ସହିତ ସମଗ୍ର ଅଞ୍ଚଳରୁ ଆତଙ୍କବାଦକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ଯେ ଆତଙ୍କବାଦ କେବଳ ସମାଜ ପାଇଁ ନୁହେଁ, ସଭ୍ୟତା ପାଇଁ ମଧ୍ୟ ବିପଦ। ଯେଉଁମାନେ ବିକାଶ ପଥରେ ବାଧା ଭଳି ଠିଆ ହୋଇଛନ୍ତି ସେମାନଙ୍କ ବିରୁଦ୍ଧରେ ଠିଆ ହେବା ଆମ ସମସ୍ତଙ୍କର ଦାୟିତ୍ୱ।

ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରର ଅନେକ ଅଞ୍ଚଳରୁ ଆତଙ୍କବାଦକୁ ହଟାଇବାରେ ପୋଲିସ ଏବଂ ସୁରକ୍ଷା ବାହିନୀ ସଫଳ ହୋଇଛନ୍ତିି। କିନ୍ତୁ ଏହାକୁ ମୂଳରୁ ବିଲୋପ କରିବା ଆବଶ୍ୟକ। ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଭିତରୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ପୋଲିସକୁ ସେମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ମନୋଜ ସିହ୍ନା କହିଛନ୍ତି ଯେ ପୋଲିସର ନୀତି ନିରୀହ ଲୋକଙ୍କୁ ହଇରାଣ କରିବା ନୁହେଁ, ବରଂ ଦୋଷୀମାନଙ୍କୁ ନ୍ୟାୟ ଦେବା।

ସେ କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ପୋଲିସର ଗୁଳିରେ କୌଣସି ନିରୀହ ନାଗରିକଙ୍କର ମୃତ୍ୟୁ ହୋଇ ନାହିଁ। ସେ କହିଛି ଯେ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ନିଜର ଦକ୍ଷତା, ନିଷ୍ଠା, ଗତିଶୀଳତା ଏବଂ ସଂକଳ୍ପ ସହିତ ଜମ୍ମୁ-କଶ୍ମୀର ପୋଲିସ ସୁରକ୍ଷା କ୍ଷେତ୍ରରେ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛି। ନୂତନ ସମ୍ଭାବ୍ୟ ବିପଦକୁ ରୋକିବା ପାଇଁ ଆମକୁ ଅଧିକ ପ୍ରତିବଦ୍ଧତା ସହ କାର୍ଯ୍ୟ କରିବାକୁ ହେବ। ଖରାପ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିବା ବିରୋଧୀମାନଙ୍କ ଦ୍ୱାରା ଏହିପରି ଅନେକ କାର୍ଯ୍ୟକଳାପ ଚାଲିଛି, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀକୁ ଦୁଇଗୁଣା ଉଦ୍ୟମ କରିବାକୁ ପଡିବ।

ମନୋଜ ସିହ୍ନା ନାର୍କୋ-ଆତଙ୍କବାଦ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ଏହା ଠିକ ସମୟରେ ନିୟନ୍ତ୍ରିତ ନହେଲେ ଏକ ପ୍ରମୁଖ ସୁରକ୍ଷା ତଥା ସାମାଜିକ ଆହ୍ବାନ ଭାବରେ ଉଭା ହେବ। ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେ ପୋଲିସକୁ ପ୍ରଶଂସା କରିଥିଲେ। ବିକାଶ କାର୍ଯ୍ୟ, ଆଇନ ଶୃଙ୍ଖଳା ରକ୍ଷା, ଡ୍ରଗ ସିଣ୍ଡିକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଆତଙ୍କବାଦୀ ବିରୋଧୀ କାର୍ଯ୍ୟରେ ଭଲ କାର୍ଯ୍ୟ କରାଯାଇଛି ବୋଲି ସେ କହିଛନ୍ତି।

Share