Categories: ଜାତୀୟ

୨୦୨୪ରେ ରାହୁଲ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କମଲ ନାଥ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଶୁକ୍ରବାର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି। କଂଗ୍ରେସର ଦେଶବ୍ୟାପୀ ଭାରତ ଯୋଡ଼ୋ ଯାତ୍ରା ପାଇଁ କମଲ ନାଥ ରାହୁଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ରାହୁଲ କ୍ଷମତା ପାଇଁ ରାଜନୀତି କରୁନାହାନ୍ତି, ସେ ଦେଶର ସାଧାରଣ ଜନତାଙ୍କ ପାଇଁ ରାଜନୀତି କରୁଛନ୍ତି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ରାହୁଲ କେବଳ ବିରୋଧୀ ଦଳର ନେତୃତ୍ୱ ନେବେନାହିଁ, ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ବିଶ୍ୱ ଇତିହାସରେ କୌଣସି ନେତା ଏତେଦୀର୍ଘ ପଦଯାତ୍ରା କରିନାହାନ୍ତି। ଗାନ୍ଧୀ ପରିବାରକୁ ବାଦ୍‌ ଦେଲେ ଅନ୍ୟ କୌଣସି ପରିବାର ଦେଶ ପାଇଁ ଏତେ ତ୍ୟାଗ କରିନାହିଁ ବୋଲି କମଲ ନାଥ କହିଛନ୍ତି।
୭୬ ବର୍ଷୀୟ କଂଗ୍ରେସ ନେତା କମଲ କହିଛନ୍ତି, ସଂଗଠନ ପ୍ରତି ବିଶ୍ୱାସଘାତ କରିଥିବା ନେତାଙ୍କର ଦଳରେ ସ୍ଥାନ ନାହିଁ। ଜ୍ୟୋତିରାଦିତ୍ୟ ସିନ୍ଧିଆ ଭବିଷ୍ୟତରେ ଦଳକୁ ଫେରିବେ କି ବୋଲି ପ୍ରଶ୍ନ ହେବାରୁ ସେ କୌଣସି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିଲେ ପୁରୁଣା ପେନ୍‌ସନ ଯୋଜନା ଲାଗୁ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

Share