୨ ମାସରେ ୧୬,୮୨୦ ଲାଇସେନ୍ସ ବାତିଲ: ଡବଲ ହେଲ୍‌ମେଟ୍‌ ପାଇଁ ସର୍ବାଧିକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ନୂତନ ମୋଟର ଯାନ ଆଇନ ଲାଗୁ କରାଯିବା ପରେ ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ ନିୟମକୁ କଡାକଡି ପାଳନ କରାଯାଉଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ଯାଏ ରଦ୍ଦ କରାଯାଉଛି। କେବଳ ଜାନୁୟାରୀ ଓ ଫେବୃୟାରୀରେ ରାଜ୍ୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକ ପକ୍ଷରୁ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୬,୮୨୦ଜଣ ଚାଳକଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଶନିବାର ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।

ଜାନୁୟାରୀରେ ମୋଟ୍‌ ୭୯୬୦ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଥିବାବେଳେ ଫେବୃୟାରୀରେ ଏଥିରେ ବୃଦ୍ଧି ଘଟି ୮୮୬୦ରେ ପହଞ୍ଚତ୍ଥିତ୍ଲା। ଏଥିମଧ୍ୟରେ ଦ୍ରୁତ ଗାଡ଼ି ଚାଳନା ପାଇଁ ୧୯୨୨, ମଦ୍ୟପାନ କରି ଗାଡି ଚଳାଉଥିବାରୁ ୩୧୬, ଗାଡି ଚଳାଉଥିବା ସମୟରେ ମୋବାଇଲ ଫୋନ୍‌ରେ କଥା ହେଉଥିବା ନେଇ ୧୩୨୨, ରେଡ୍‌ ଲାଇଟ୍‌ ନିୟମ ଉଲ୍ଲଂଘନ ନେଇ ୨୮୨, ଓଭର ଲୋଡିଂ ପାଇଁ ୩୮୭ , ମାଲବାହୀ ଗାଡିରେ ଯାତ୍ରୀଙ୍କୁ ନେଉଥିବାରୁ ୩୧୩, ଡବଲ ହେଲମେଟ୍‌ ପିନ୍ଧି ନ ଥିବାରୁ ସର୍ବାଧିକ ୧୧୬୧୩ଜଣ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ତେବେ ବାଇକରେ ଯାଉଥିବା ସମୟରେ ଉଭୟ ଚାଳକ ଓ ପଛରେ ବସିଥିବା ଯାତ୍ରୀ ହେଲମେଟ୍‌ ପିନ୍ଧି ନ ଥିବାରୁ ଗତ ଦୁଇମାସ ମଧ୍ୟରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ ପକ୍ଷରୁ ୩୦୧୬, କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୩୦୦୩ ଓ ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୪୮୩ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।