Categories: ଜାତୀୟ

୧୫ ମିନିଟ୍‌ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି

କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍‌ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍‌ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି। ସୀମା ବିବାଦ ଲାଗିରହିବା ଓ ସମାଧାନର ରାସ୍ତା ନ ବାହାରିବା, ଭାରତୀୟ ଅଞ୍ଚଳକୁ ଜବରଦଖଲ କରାଯିବା ଦୁର୍ବଳ ନେତୃତ୍ୱ ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ସେ କହିଛନ୍ତି। ‘କ୍ଷେତି ବଚାଓ’ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାହୁଲ ପଞ୍ଜାବ ପରେ ହରିୟାଣାରେ ତାଙ୍କ ସ୍ବରକୁ ଶାଣିତ କରିଛନ୍ତି। କୁରୁକ୍ଷେତ୍ରର ଅନାଜ ମଣ୍ଡିରେ ଜନତାଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଭୟାଳୁ ପ୍ରଧାନମନ୍ତ୍ରୀ ଆମ ଜାଗାକୁ କେହି ଜବରଦଖଲ କରି ନ ଥିବା କହୁଛନ୍ତି। ହେଲେ ଅନ୍ୟ ଦେଶ ଏଠାରୁ ୧,୨୦୦ ସ୍କୋୟାର କି.ମି. ଭୂମି ହଡ଼ପ କରିଛି। ବିଶ୍ୱରେ କେବଳ ଭାରତରେ ହିଁ ଏଭଳି ଘଟଣା ଘଟିଛି। ଦେଶବାସୀ ଜାଣିଛନ୍ତି ଚାଇନା ସୈନ୍ୟ ଆମ ଭୂଖଣ୍ଡକୁ ଜବରଦଖଲ କରିଛନ୍ତି। ଦେଶଭକ୍ତ ବୋଲାଉଥିବା ମୋଦି ଏଭଳି ମିଛ କଥା କହିବା ଅନୁଚିତ ବୋଲି ରାହୁଲ ସମାଲୋଚନା କରି କହିଛନ୍ତି। କଂଗ୍ରେସ କ୍ଷମତାକୁ ଫେରିଲେ ଚାଇନା ଗୋଟେ ପାଦ ଜାଗା ନେବାକୁ ସାହସ କରିବ ନାହିଁ ବୋଲି ରାହୁଲ ପ୍ରକାଶ କରିଛନ୍ତି।

Share