Categories: ଜାତୀୟ

୧୦ ବର୍ଷ ମଧ୍ୟରେ ଦେଶର ୪୦ ପ୍ରତିଶତ ଲୋକ ସହରରେ କରିବେ ବାସ

ନୂଆଦିଲ୍ଲୀ, ୧୮।୮: ଦେଶର ୪୦ ପ୍ରତିଶତ ଜନସଂଖ୍ୟା ସହରରେ ବାସ କରିବେ। ଆସନ୍ତା ୧୦ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ସୂଚନା ଦେଇଛନ୍ତି। ସେଥି ପାଇଁ ୧୦ ବର୍ଷ ମଧ୍ୟରେ ପ୍ରତିବର୍ଷ ୬ ଶହରୁ ୮ଶହ ନିୟୁତ ବର୍ଗ ମିଟର ସହରାଞ୍ଚଳ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଦେଶର ଶହେଟି ସ୍ମାର୍ଟ ସହରରେ ଆତ୍ମନିର୍ଭର ଭାରତ ମିଶନ ଅନ୍ତର୍ଗତ ୫ ହଜାର ୧୫୧ ପରିଯୋଜନାକୁ ଚିହ୍ନଟ କରାଯାଇଛି। ଏଥିପାଇଁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସରକାର ଇତିମଧ୍ୟରେ ୧୬୬ ହଜାର କୋଟି ଟଙ୍କାର ୪୭ ଶହ ପରିଯୋଜନା ଲାଗି ଟେଣ୍ଡର ଜାରି କରିଛନ୍ତି। ଏହା ମୋଟ ପରିଯୋଜନାର ୮୧ ପ୍ରତିଶତ। ୨୦୩୦ ବେଳକୁ ଦେଶର ୬୦ ପ୍ରତିଶତରୁ କମ୍‌ ଜନସଂଖ୍ୟା ଗ୍ରାମାଞ୍ଚଳରେ ବାସ କରୁଥିବେ ବୋଲି ହରଦୀପ୍‌ କହିଛନ୍ତି। ଗ୍ରାମାଞ୍ଚଳରେ ସହର ଭଳି ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ଗାଁ ବି ସହର ପାଲଟିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆତ୍ମନିର୍ଭର ଭାରତ ମିଶନ ଅନ୍ତର୍ଗତ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୁହାଯାଉଛି।

Share