ଇମ୍ରାନଙ୍କ ନାମାଙ୍କନ ରଦ୍ଦ

ଇସଲାମାବାଦ,୩୦ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପାକିସ୍ତାନ ନିର୍ବାଚନ ଆୟୋଗ ଏକ ବଡ଼ ଝଟ୍‌କା ଦେଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ, ୨୦୨୪ରେ ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଛି।ଫେବୃୟାରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

ସୂଚନାନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଦୁଇଟି ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ଇମ୍ରାନଙ୍କ ଦଳର ଅଧିକାରୀ କହିଛନ୍ତି, ପାକିସ୍ତାନର ନିର୍ବାଚନ ଆୟୋଗ ଉଭୟ ନିର୍ବାଚନମଣ୍ଡଳୀରୁ ଦାଖଲ ହୋଇଥିବା ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ଏପ୍ରିଲ ୨୦୨୨ରେ ୭୧ ବର୍ଷୀୟ କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସେବେଠାରୁ ସେ ରାଜନୈତିକ ଏବଂ ଆଇନଗତ ଯୁଦ୍ଧରେ ଜଡ଼ିତ ଥିଲେ। ସେ ବାରମ୍ବାର ଅଭିଯୋଗ କରୁଛନ୍ତି ଯେ, ବର୍ତ୍ତମାନର ପାକିସ୍ତାନ ସରକାର ତାଙ୍କୁ ହଇରାଣ କରୁଛନ୍ତି।

୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦବୀରେ ଥିବାବେଳେ ଇମ୍ରାନ ବେଆଇନ ଭାବେ ସରକାରୀ ଉପହାର ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତାଙ୍କୁ ଅଗଷ୍ଟରେ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା।

Share