ଇମ୍ରାନ୍‌ଙ୍କ ମୁଣ୍ଡରେ ଚଡ଼କ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୫ା୩:୨୦୧୮ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପାକିସ୍ତାନ-ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଆସୁଛି କି? ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍‌ଦୁଲ୍‌ ହାଫିଜ୍‌ ଶେଖ୍‌ ବୁଧବାର ଅନୁଷ୍ଠିତ ଇସ୍‌ଲାମାବାଦ ସିନେଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ୍‌ ରଜା ଗିଲାନିଙ୍କଠାରୁ ୫ ଖଣ୍ଡ ଭୋଟ ବ୍ୟବଧାନରେ ହାରିଯାଇଛନ୍ତି। ଏହି ପରାଜୟକୁ ଇମ୍ରାନ୍‌ ସରକାର ଓ ତାଙ୍କ ନୀତିଗୁଡ଼ିକ ବିରୋଧରେ ଅନାସ୍ଥା ପ୍ରସ୍ତାବ ରୂପେ ଦେଖାଯାଉଛି। ଫଳରେ ବିରୋଧୀଙ୍କ ପକ୍ଷରୁ ଇମ୍ରାନ୍‌ଙ୍କ ଇସ୍ତଫା ଦାବି ଜୋର୍‌ ଧରିଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଇମ୍ରାନ୍‌ ସରକାର ରହିବେ କି ନାହିଁ ତାହା ଏହି ଦିନ ଆସ୍ଥାଭୋଟ ପରେ ଜଣାପଡ଼ିବ।
ଇମ୍ରାନ୍‌ ତାଙ୍କ କ୍ୟାବିନେଟ ସହଯୋଗୀ ଅବ୍‌ଦୁଲ ହାଫିଜ୍‌ ଶେଖ୍‌ଙ୍କ ପାଇଁ ବ୍ୟକ୍ତିଗତ ଭାବେ ପ୍ରଚାର କରିଥିଲେ। ଏହାସତ୍ତ୍ୱେ ଅର୍ଥମନ୍ତ୍ରୀ ହାଫିଜ୍‌ ଶେଖ୍‌ ପରାଜିତ ହୋଇଛନ୍ତି। ସିନେଟ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରଜା ଗିଲାନିଙ୍କ ବିଜୟ ପରେ ଅନେକ ବିରୋଧୀ ଦଳ ନେତା ଇମ୍ରାନ୍‌ଙ୍କ ଇସ୍ତଫା ଦାବି କରିବାରେ ଲାଗିଛନ୍ତି। ସିନେଟରଙ୍କୁ ଜିତାଇବା ପାଇଁ ୧୭୨ ଖଣ୍ଡ ଭୋଟ ଆବଶ୍ୟକ ଥିବାବେଳେ ଶାସକ ପିଟିଆଇ ୧୮୨ ସଦସ୍ୟଙ୍କ ସମର୍ଥନ ହାସଲ କରିଥିବା ଦାବି କରୁଛି। କିନ୍ତୁ ଗିଲାନିଙ୍କ ସପକ୍ଷରେ ୧୬୯ ଓ ଶେଖ୍‌ଙ୍କୁ ୧୬୪ ଭୋଟ ମିଳିଥିବା ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବରିଷ୍ଠ ନେତା ଗିଲାନିଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧୀ ମେଣ୍ଟ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭ୍‌ମେଣ୍ଟ (ପିଡିଏମ୍‌) ଏହି ନିର୍ବାଚନରେ ସମର୍ଥନ କରିଥିଲା।
ଇସ୍‌ଲାମାବାଦ ସିନେଟ ଆସନରେ ହାରିବା ପରେ ପିଟିଆଇ ପକ୍ଷରୁ ଘୋଷଣା କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ପାର୍ଲାମେଣ୍ଟରେ ଆସ୍ଥାଭୋଟ ଲୋଡ଼ିବେ। ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କ୍ୟୁରେଶୀ ଏହାକୁ ପାକିସ୍ତାନ ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଦିନ ଭାବେ ଅଭିହିତ କରିଛନ୍ତି। ବର୍ତ୍ତମାନ ଏପରି ସମୟ ଆସିଛି ଯେ ତୁମେ ଇମ୍ରାନ୍‌ଙ୍କ ସପକ୍ଷରେ ରହିବ ନଚେତ୍‌ ବିପକ୍ଷରେ ବୋଲି ସେ କହିଛନ୍ତି।
ବୁଧବାର ନିର୍ବାଚନରେ ୧୮ ସିଟ୍‌ ଦଖଲ କରି ପାର୍ଲାମେଣ୍ଟର ଉଚ୍ଚ ସଦନରେ ଶାସକ ପିଟିଆଇର ସଂଖ୍ୟାଗରିଷ୍ଠ ଦଳ ହୋଇଛି। ଏହାସତ୍ତ୍ୱେ ଚିନ୍ତାର ବିଷୟ ହେଉଛି ଇସ୍‌ଲାମାବାଦ ଆସନ ଜିତିବା ଲାଗି ସରକାର ନିଜ ହାତରେ ଯେଉଁ ୧୮୦ ଭୋଟ ଥିବା ମନେକରୁଥିଲେ, ତାହା ନାହିଁ ବୋଲି ଫଳାଫଳରୁ ଜଣାପଡ଼ିଛି। ଇମ୍ରାନ୍‌ ଅପମାନିତ ହୋଇ ବିଦା ହେବା ହେବା ପରିବର୍ତ୍ତେ ଆସ୍ଥାଭୋଟରେ ଶକ୍ତିପରୀକ୍ଷା ଦେବାକୁ ଉଚିତ ମଣିଛନ୍ତି। ଇମ୍ରାନ୍‌ ଆସ୍ଥାଭୋଟରେ କୌଣସି ପ୍ରକାରେ ବର୍ତ୍ତିଗଲେ ସୁଦ୍ଧା ବର୍ତ୍ତମାନ ତୁଳନାରେ ଆହୁରି ଦୁର୍ବଳ ହୋଇଯିବେ।

Share