ଶାହବାଜଙ୍କୁ ଇମ୍ରାନ୍‌ଙ୍କ ଚ୍ୟାଲେଞ୍ଜ୍‌, ନିର୍ବାଚନରେ ବିଜୟୀ ହୋଇ ଦେଖାଅ …

ଇସଲାମାବାଦ, ୧୩।୬ : ପାକିସ୍ତାନ ରାଜନୀତିରେ ସଙ୍କଟ ଜାରି ରହିଛି। କ୍ଷମତାରୁ ବାହାରିବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନୂଆ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିବା ସହିତ ସରକାରଙ୍କୁ ନିରନ୍ତର ଟାର୍ଗେଟ କରୁଛନ୍ତି। ସମ୍ପ୍ରତି ଇମ୍ରାନ ଖାନ ଶାହବାଜ ସରିଫଙ୍କୁ ଏକ ନୂଆ ଚ୍ୟାଲେଞ୍ଜ ଦେଇଛନ୍ତି। ପାକିସ୍ତାନୀ ଜିଓ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଶାହାବାଜ ସରିଫ ଏବଂ ତାଙ୍କ ନେତୃତ୍ୱରେ ମିଳିତ ମେଣ୍ଟକୁ ଆଗାମୀ ନିର୍ବାଚନରେ ଜିତିବାକୁ ଚ୍ୟାଲେଞ୍ଜ କରିଛନ୍ତି।

ଶାହବାଜ ସରକାରଙ୍କ ନିର୍ବାଚନରେ ଜିତିବା ଅସମ୍ଭବ ବୋଲି ଇମ୍ରାନ କହିଛନ୍ତି। ଶାସକ ଦଳ ଆମ ଦଳର ଅଭିଯାନ ଆଗରେ ହାର ମାନିବ ବୋଲି ଇମ୍ରାନ୍‌ କହିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ସରକାର ପିଟିଆଇ କର୍ମୀ ଏବଂ ନେତାଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି ଯାହା ଦ୍ୱାରା ସେମାନଙ୍କୁ ଜେଲକୁ ପଠାଯାଇ ପାରିବ।

ରିପୋର୍ଟ ଅନୁଯାୟୀ, ଇମ୍ରାନ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ନିର୍ବାଚନ ପାଇଁ ପିଟିଆଇ କାର୍ଯ୍ୟ ଜାରି ରଖିଥିବାରୁ ବର୍ତ୍ତମାନର ସରକାର ନିର୍ବାଚନ ପ୍ରଚାର ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ।

ବିଶେଷଜ୍ଞଙ୍କ ଅନୁଯାୟୀ ଇମ୍ରାନ ଖାନଙ୍କୁ ଯେ କୌଣସି ସମୟରେ ଗିରଫ କରାଯାଇପାରିବ ବୋଲି ଦୀର୍ଘ ଦିନ ଧରି ଅନୁମାନ କରାଯାଉଛି। ନିକଟରେ ପାକିସ୍ତାନର ଗୃହମନ୍ତ୍ରୀ ନିଜେ କହିଥିଲେ ଯେ ଇମ୍ରାନ ଖାନଙ୍କୁ କେବେ ଓ କିପରି ଗିରଫ କରାଯିବାର ଆଶଙ୍କା ରହିଛି।

ଦ ଡନ ଏହାର ଏକ ରିପୋର୍ଟରେ କହିଛି ଯେ ଦଙ୍ଗା, ଦେଶଦ୍ରୋହ, ଅରାଜକତା ପ୍ରସାର ମାମଲାରେ ଇମ୍ରାନଙ୍କ ବିରୋଧରେ ଦୁଇ ଡଜନରୁ ଅଧିକ ମାମଲା ରୁଜୁ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ଗତ ମାସରେ ଇମ୍ରାନ ଖାନଙ୍କ ଦ୍ୱାରା ଆୟୋଜିତ ଆଜାଦି ମାର୍ଚ୍ଚରେ ପାକିସ୍ତାନର ଅନେକ ଅଞ୍ଚଳରେ ପୋଲିସ ଏବଂ ବିରୋଧକାରୀଙ୍କ ମଧ୍ୟରେ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାୱଲପିଣ୍ଡି, ଲାହୋର, କରାଚି ଏବଂ ଏପରିକି ରାଜଧାନୀ ଇସଲାମାବାଦରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

Share