ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ାଇବେ ଇମ୍ରାନ…

ଇସଲାମାବାଦ,୩୧।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶେହବାଜ ଶରିଫ ସରକାରଙ୍କ ବିରୋଧରେ ପୁଣିଥରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। ଫଳରେ ଶେହବାଜ ସରକାରଙ୍କ ସମସ୍ୟା ପୁଣି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଦ୍ରାସ୍ଫୀତି ବିରୋଧରେ ଅଭିଯାନ ଆରମ୍ଭ କରିଛି।

ଇମ୍ରାନ ଏହି ଅଭିଯାନ ଏପରି ସମୟରେ ଆରମ୍ଭ କରିଛନ୍ତି ଯେଉଁ ଯେତେବେଳେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ସରକାରଙ୍କ ଉପରେ ଚାପ ବୃଦ୍ଧି କରିଛି।

ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଡାର ଏହି ସପ୍ତାହରେ କହିଛନ୍ତି ଯେ ଆଇଏମଏଫର ସର୍ତ୍ତ ଗ୍ରହଣ କରିବା ବ୍ୟତୀତ ପାକିସ୍ତାନ ପାଖରେ କୌଣସି ବିକଳ୍ପ ନାହିଁ। ଏହି ସର୍ତ୍ତଗୁଡିକ ଅନୁସରଣ କଲେ ଦେଶରେ ମୁଦ୍ରାସ୍ଫୀତି ପୁଣି ବୃଦ୍ଧି ପାଇବ।

ଆଇଏମଏଫର ଏକ ମୁଖ୍ୟ ସର୍ତ୍ତ ହେଉଛି ସରକାର ଏହାର ଆର୍ଥିକ ନିଅଣ୍ଟ ହ୍ରାସ କରିବା ଉଚିତ। ସେଥିପାଇଁ ପେଟ୍ରୋଲିୟମ ସମେତ ଅନେକ ଜରୁରୀ ଜିନିଷ ଉପରେ ଦିଆଯାଉଥିବା ସବସିଡି ସରକାରଙ୍କୁ ହ୍ରାସ କରିବାକୁ ପଡିବ। ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ଏହି ସମ୍ଭାବନାକୁ ଦେଖି ଇମ୍ରାନ ମୁଦ୍ରାସ୍ଫୀତିକୁ ଜାତୀୟ ଆଲୋଚନାର କେନ୍ଦ୍ରକୁ ଫେରାଇ ଆଣିବା ପାଇଁ ରଣନୀତି ଆପଣେଇଛନ୍ତି।

Share