ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍‌…

ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସ୍ବାଧୀନ ବହିର୍ବ୍ୟାପାର ନୀତି ସାହାଯ୍ୟରେ ଏହା ହାସଲ କରିବାକୁ ମୋଦି ତାଙ୍କ ସରକାର ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। ସେ ପାକିସ୍ତାନ ମୁସଲିମ ଲିଗ ସରକାରଙ୍କୁ ମୁଣ୍ଡ ବିହିନ କୁକୁଡ଼ା ପରି ଅର୍ଥନୀତି ଯୋଗୁ ସମାଲୋଚନା କରିଛନ୍ତି।

ଶନିବାର ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହେବାର ଘୋଷଣାକୁ ସେ ପ୍ରଶଂସା କରିଛନ୍ତି। ଇନ୍ଧନ ମୂଲ୍ୟ ହ୍ରାସ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ଇମ୍ରାନ୍‌ ଟୁଇଟରରେ ଲେଖିଛନ୍ତି ଯେ କ୍ୱାଡର ଏକ ଅଂଶ ହୋଇଥିଲେ ମଧ୍ୟ ଭାରତ ଆମେରିକାର ଚାପରୁ ନିଜକୁ ଦୂରେଇ ରଖିଛି ଏବଂ ଜନସାଧାରଣଙ୍କ ସୁବିଧା ପ୍ରତି ଧ୍ୟାନ ଦେଇଛି।

ଏକ ସ୍ବାଧୀନ ବହିର୍ବ୍ୟାପର ନୀତି ସାହାଯ୍ୟରେ ଆମ ସରକାର ଯାହା କରୁଥିଲେ ଏବେ ତାହା ଭାରତ କରିଛି। ୟୁକ୍ରେନ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶଗୁଡିକ ମସ୍କୋ ଉପରେ କଡା ପ୍ରତିବନ୍ଧକ ଲଗାଇଥିବା ବେଳେ ଅନେକ ତୈଳ ଆମଦାନୀକାରୀଙ୍କୁ ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବାକୁ ବାଧ୍ୟ କରୁଥିବା ଯୋଗୁ ରୁଷିଆର ତୈଳ ରପ୍ତାନୀରେ ହ୍ରାସ ଘଟିଛି।

ରଏଟର୍ସ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ମୁକାବିଲା ପାଇଁ ଭାରତ ରୁଷିଆରୁ ସବସିଡିଯୁକ୍ତ ତୈଳ କ୍ରୟକୁ ବୃଦ୍ଧି କରି ଏପ୍ରିଲରେ ଦେଶର ଅଶୋଧିତ ତୈଳ ଆମଦାନୀକୁ ସାଢ଼େ ତିନି ବର୍ଷର ଉଚ୍ଚତମ ସ୍ତରରେ ପହଞ୍ଚାଇଛି।

ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କ ସରକାର ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ସମାନ ପଦକ୍ଷେପ ନେବାକୁ ଚାହୁଥିଲେ, କିନ୍ତୁ କ୍ଷମତାର ପରିବର୍ତ୍ତନ ପାଇଁ ମିର ଜାଫର ଏବଂ ମିର ସାଦିକ ବାହ୍ୟ ଚାପରେ ପଡ଼ିଗଲେ।

Share