କୋର୍ଟଙ୍କ ନୋଟିସକୁ ନେଇ ଇମ୍ରାନ ଖପ୍ପା

ଇସଲାମାବାଦ,୫ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କୋର୍ଟରେ ଏକ ପିଟିଶନ ଦାଖଲ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ପାକିସ୍ତାନର ନିର୍ବାଚନ ଆୟୋଗ ଇମ୍ରାନ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଫଓ୍ବାଦ ଚୌଧୁରୀଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି। ପାକିସ୍ତାନୀ ନିର୍ବାଚନ କମିଶନର ସିକନ୍ଦର ସୁଲତାନ ରାଜା ଏବଂ ନିବାଚନ ଆୟୋଗର ଅନ୍ୟ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆଣିବା ନେଇ ନିର୍ବାଚନ ଆୟୋଗ ଦୁଇ ନେତାଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଥିଲେ।

ଲାହୋର ହାଇକୋର୍ଟ ଶୁଣାଣି ପାଇଁ ବେଞ୍ଚ ଗଠନ କରିଛନ୍ତି। ଲାହୋର ହାଇକୋର୍ଟ (ଏଲ୍‌ଏଚସି) ପ୍ରଧାନ ବିଚାରପତି ଅମୀର ଭଟ୍ଟୀ ବୁଧବାର ଇମ୍ରାନ ଏବଂ ଫଓ୍ବାଦ ଚୌଧୁରୀଙ୍କ ନିବେଦନ ଶୁଣିବା ପାଇଁ ଏକ ବେଞ୍ଚ ଗଠନ କରିଛନ୍ତି। ତିନି ସଦସ୍ୟ ବିଶିଷ୍ଟ ବୃହତ ବେଞ୍ଚରେ ଜଷ୍ଟିସ ସଦାକତ ଅଲୀ ଖାନ, ଜଷ୍ଟିସ ମିର୍ଜା ଓ୍ବାକସ ରଉଫ ଏବଂ ଜଷ୍ଟିସ ଜଓ୍ବାଦ-ଉଲ୍‌-ହାସନ ରହିଛନ୍ତି। ଗୁରୁବାର ଅପରାହ୍ନ ୧ଟାରେ ବେଞ୍ଚ ଇମ୍ରାନଙ୍କ ଆବେଦନ ଶୁଣାଣି କରିବ।

Share