ଭାରତ ସରକାରଙ୍କୁ ଦୋଷାରୋପ କରିବାକୁ ଯାଇ ନିଜ ସରକାରକୁ ପରିହାସ କରିପକାଇଲେ ଇମ୍ରାନଙ୍କ ମନ୍ତ୍ରୀ

ଇସ୍‌ଲାମାବାଦ,୧୭ ।୧୧: ପାକିସ୍ତାନର ନେତା ସବୁବେଳେ ଭାରତ ଉପରେ ମନଗଢା ଅଭିଯୋଗ ଆଣିବାକୁ ପ୍ରୟାସ କରିଥାଆନ୍ତି । ଇମ୍ରାନ ଖାଁଙ୍କ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଏମାନଙ୍କ ମଧ୍ୟରେ ସବୁଠାରୁ ଆଗରେ । ସେ ସବୁବେଳେ ଚେଷ୍ଟା କରୁଥାଆନ୍ତି ଭାରତକୁ ଦୋଷାରୋପ କରିବାକୁ । ଏବେ ଏହି ଚକ୍କରରେ ସେ ନିଜ ସରକାରଙ୍କୁ ପରିହାସ କରି ଆସିଛନ୍ତି ଚର୍ଚ୍ଚାକୁ । ରସିଦ ଅଭିଯୋଗ କରିଥିଲେ କି ଭାରତର ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର) ପାକିସ୍ତାନକୁ ଅସ୍ଥିର କରୁଛି । ଏହାସହ ‘ର’ ପାକିସ୍ତାନ ନେତାଙ୍କୁ ହତ୍ୟା ବି କରିପାରେ ତେଣୁ ନେତାମାନେ ସୁରକ୍ଷାର ଦାୟିତ୍ୱ ନିଜେ ନିଅନ୍ତୁ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ଉପରେ ୩ ଥର ଆକ୍ରମଣ ହେଲାଣି । ଭାରତର ଗୁଇନ୍ଦା ସଂସ୍ଥା ପାକିସ୍ତାନକୁ ଅସ୍ଥିର କରିବା ପାଇଁ ଭିତରେ ଭିତରେ କାମ ଆରମ୍ଭ କରି ସାରିଲାଣି । ରସିଦଙ୍କ ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଗଣମାଧ୍ୟମ ପ୍ରତିନିଧି ନାୟଲା ଇନାୟତ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଭାରତକୁ ଦୋଷାରୋପ କରିବା ବେଳେ ରେଳମନ୍ତ୍ରୀ ଏକ ପ୍ରକାର ନିଜ ସରକାରଙ୍କୁ ପରିହାସ କରିଛନ୍ତି । କରୋନାକୁ ନେଇ ସେ କହିଛନ୍ତି ଗରିବଙ୍କ ପାଇଁ ଏଠାରେ କେବଳ ଆହ୍ଲା ଅଛନ୍ତି । ଅଥାତ୍ ପାକିସ୍ତାନର ସରକାରଙ୍କ ନିକଟରୁ ଗରିବ ମାନେ କୌଣସି ଆଶା ରଖିବା ଅନୁଚିତ । ଏହା କହିବା ପରେ ପରିହାସର ଶିକାର ହୋଇଛନ୍ତି ରସିଦ ।

Share