ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର

ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା କଥା ଉଠିଛି। ଇମ୍ରାନଙ୍କ ପ୍ରେମ ତାଲିକାରେ ବଲିଉଡ୍‌ ଅଭିନେତ୍ରୀମାନଙ୍କ ଠାରୁ ଦୁନିଆର ସବୁଠାରୁ ଧନୀ ମହିଳା ଅନ୍ତର୍ଭୁକ୍ତ। ଏପରିକି ସେ ୩ଟି ବିବାହ ମଧ୍ୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ହେଉଛନ୍ତି ସୀତା ହ୍ବାଇଟ୍‌। ଯାହାଙ୍କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥିଲେ ଇମ୍ରାନ।

ଏହି ଘଟଣା ୧୯୮୭-୮୮ ବେଳର। ସେହି ସମୟରେ ଇମ୍ରାନ କ୍ରିକେଟ ପାଇଁ ବହୁ ପ୍ରସିଦ୍ଧ ଥିଲେ। ପ୍ରେମ ସମ୍ପର୍କକୁ ନେଇ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। କୁହାଯାଏ, ଇମ୍ରାନ ଏବଂ ସୀତା ଲଣ୍ଡନର ଜର୍ମିନ ଷ୍ଟ୍ରିଟ ନାଇଟ୍‌ କ୍ଲବ୍‌ରେ ଭେଟିଥିଲେ। ଉଭୟଙ୍କର କିଛି ମାସ ପାଇଁ ପ୍ରେମ ସମ୍ପର୍କ ଥିଲା ଏବଂ ତା’ପରେ ଇମ୍ରାନ ଏହି ସମ୍ପର୍କକୁ ଶେଷ କରିଦେଇଥିଲେ।

୧୯୯୧ରେ ଇମ୍ରାନ ଏବଂ ସୀତାଙ୍କର ଶେଷ ଥର ପାଇଁ ସାକ୍ଷାତ ହୋଇଥିଲା। ସୀତାଙ୍କ କହିବାନୁଯାୟୀ, ଇମ୍ରାନ ତାଙ୍କଠାରୁ ଏକ ପୁଅ ଚାହୁଁଥିଲେ। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଏକ ଝିଅର ପିତା ହେବାକୁ ଯାଉଛନ୍ତି, ସେତେବେଳେ ସେ ହତାଶ ହୋପଡ଼ିଥିଲେ। ଇମ୍ରାନ କହିଥିଲେ, ଝିଅ କ୍ରିକେଟ ଖେଳି ପାରିବ ନାହିଁ। ଏହି କାରଣରୁ ସେ ସୀତାଙ୍କୁ ଗର୍ଭପାତ କରାଇବାକୁ ବାଧ୍ୟ କରିଥିଲେ, କିନ୍ତୁ ସୀତା ରାଜି ହୋଇ ନ ଥିଲେ।

ଇମ୍ରାନଙ୍କ ଝିଅ ଟାୟରିୟନ ଖାନ ହ୍ବାଇଟ୍‌ ୧୫ ଜୁନ ୧୯୯୨ରେ ଜନ୍ମଗ୍ରହଣ କରିଥିଲେ। ସୀତା ନିଜ ଝିଅର ପିତାଙ୍କ ପରିଚୟକୁ ୩ ବର୍ଷ ଧରି ସମଗ୍ର ବିଶ୍ୱବାସୀଙ୍କୁ ଲୁଚାଇ ରଖିଥିଲେ। ୧୯୯୫ରେ, କ୍ରିକେଟରରୁ ରାଜନେତା ପାଲଟିଥିଲେ ଇମ୍ରାନ।

ସେହି ବର୍ଷ ଇମ୍ରାନ ପ୍ରଥମେ ୪୨ ବର୍ଷ ବୟସରେ ବ୍ରିଟିଶ ବିଲିୟନେୟାର ଜେମ୍ସ ଗୋଲ୍ଡସ୍ମିଥଙ୍କ ଝିଇ ଜେମିମାଙ୍କୁ ବିବାହ କରିଥିଲେ। ଏଥିସହ ଏହି ସମୟରେ ସେ ପାକିସ୍ତାନୀ ରାଜନୀତିରେ ପାଦ ରଖିଥିଲେ। ଇସ୍‌ଲାମଙ୍କ ନାମରେ ଜନସାଧାରଣଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିବା ସତ୍ତ୍ୱେ ଇମ୍ରାନ ଟାୟରିୟନଙ୍କୁ ତାଙ୍କ ଝିଅ ଭାବରେ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ସୀତା ସ୍ଥିର କରିଥିଲେ ଯେ, ସେ ଇମ୍ରାନଙ୍କୁ ଟାୟରିୟନଙ୍କ ପିତା ଭାବରେ ଗ୍ରହଣ କରିବେ। ୧୯୯୭ ଶେଷ ସୁଦ୍ଧା, ଏହି ମାମଲା କାଲିଫର୍ନିଆର ଏକ କୋର୍ଟରେ ପହଞ୍ଚିଥିଲା, ଯେଉଁଠାରେ ଇମ୍ରାନଙ୍କୁ ଟାୟରିୟନଙ୍କ ପିତା ଘୋଷିତ କରାଯାଇଥିଲା। ଅବଶ୍ୟ ଇମ୍ରାନ ଆଜି ପର୍ଯ୍ୟନ୍ତ ଟାୟରିୟନଙ୍କ ପିତା ହେବାକୁ ସର୍ବସାଧାରଣରେ ସ୍ବୀକାର କରିନାହାନ୍ତି। ଅନ୍ୟପକ୍ଷରେ ସୀତା ଇଟାଲୀର ଫଟୋଗ୍ରାଫର ଫ୍ରାନ୍ସିସ୍କୋ ଭେଣ୍ଟୁରୀଙ୍କୁ ବିବାହ କରିଛନ୍ତି।

Share