ପାକିସ୍ତାନରେ ଆତଙ୍କବାଦ ପାଇଁ ଇମ୍ରାନ୍‌ ଦାୟୀ, ଶହବାଜ ସରିଫଙ୍କ ଦାବି…

ଇସଲାମାବାଦ, ୨୭।୬ : ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟତା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଆତଙ୍କବାଦୀ ଘଟଣା ପାଇଁ ଇମ୍ରାନ ଖାନ ହିଁ ଦାୟୀ।

ଆତଙ୍କବାଦ ବିରୋଧରେ ନ୍ୟାଶନାଲ ଆକ୍ସନ ପ୍ଲାନ ସଠିକ ରୂପେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ଏବଂ ଏଥିପାଇଁ ଇମ୍ରାନ ଖାନଙ୍କ ସରକାରଙ୍କ ଦୋଷ ଥିବା ସେ କହିଛନ୍ତି। ସେ କହିଛନ୍ତି ଆମ ସରକାର ବର୍ତ୍ତମାନ ଏହି ଆକ୍ସନ ପ୍ଲାନକୁ କାର୍ଯ୍ୟକାରୀ କରିବେ ଯାହା ଗତ୪ ବର୍ଷ ଧରି ହୋଇ ନ ଥିଲା। ଯେଉଁଥିପାଇଁ ଦେଶରେ ଆତଙ୍କବାଦ ବୃଦ୍ଧି ପାଇଥିଲା।

ଅନୁଷ୍ଠିତ ଏକ ବୈଠକରେ ସେ କହିଛନ୍ତି ଯେ ଗତ ୪ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ନକରିବାର ଫଳାଫଳ ହେଉଛି ଯେ ୨୦୨୧ରେ ଆତଙ୍କବାଦୀ ଆକ୍ରମଣରେ ୫୬ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ, ଦ ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର କନଫ୍ଲିକ୍ଟ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜର ଏକ ରିପୋର୍ଟରୁ ଜଣାପଡିଛି ଯେ ୨୦୨୧ରେ ଆତଙ୍କବାଦୀମାନେ ୨୯୪ ଆକ୍ରମଣ କରିଥିଲେ। ଯେଉଁଥିରେ ୩୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୬୦୬ ଜଣ ଆହତ ହୋଇଥିଲେ।

ଲାହୋରରେ ଏହି ଘୋଷଣା କରି ଶାହବାଜ ସରିଫ କହିଛନ୍ତି ଯେ ଏହି ଜାତୀୟ କାର୍ଯ୍ୟ ଯୋଜନା ପୁଣି କାର୍ଯ୍ୟକାରୀ ହେବ। ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଜାତୀୟ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଇମ୍ରାନ୍‌ ସରକାର ଏଥିରେ ବିଫଳ ରହିଥିବା ଶାହବାଜ କହିଛନ୍ତି।

Share