ଶାହରୁଖ-ସଲମାନଙ୍କଠାରୁ ମଧ୍ୟ ଭଲ ଅଭିନୟ କରିପାରନ୍ତି ଇମ୍ରାନ୍‌…

ଇସଲାମାବାଦ,୭।୧୧ : ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ଫଜଲୁର ରେହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ କେବଳ ଡ୍ରାମା। ଇମ୍ରାନ ଅଭିନୟ ଦକ୍ଷତାରେ ଭାରତୀୟ ଫିଲ୍ମ ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।

ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରେହମାନ କହିଛନ୍ତି ଯେ ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଛି। ଆମେ ଚିନ୍ତିତ ଏବଂ ସମବେଦନା ଜଣାଇଥିଲୁ। କିନ୍ତୁ ବର୍ତ୍ତମାନ ଆମେ ହୃଦୟଙ୍ଗମ କରିଛୁ ଯେ ଏହା ପିଟିଆଇ ଦ୍ୱାରା ରଚାଯାଇଥିବା ଏକ ନୂତନ ଡ୍ରାମା।

ସେ ପ୍ରଧାନମନ୍ତ୍ରୀ ଶହେବାଜ ସରିଫ ସରକାରଙ୍କୁ କଠୋର ହେବାକୁ କହିଛନ୍ତି। କାହାକୁ ପାକିସ୍ତାନ ସହ ଖେଳିବାକୁ ଦିଆଯିବା ଉଚିତ ନୁହେଁ। ବର୍ତ୍ତମାନ ସେମାନଙ୍କ ସହ କୌଣସି କୋହଳ ମନୋଭାବ ପୋଷଣ କରାଯିବ ନାହିଁ।

ସୂଚନାଯୋଗ୍ୟ, ୱାଜିରାବାଦରେ ତାଙ୍କର ଦୀର୍ଘ ପଦଯାତ୍ରା ସମୟରେ ଗୁରୁବାର ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି କାରଣରୁ ତାଙ୍କ ଗୋଡରେ ଗୁଳି ବାଜିଥିଲା। ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ତାଙ୍କ ଗୋଡରୁ ଗୁଳି ବାହାର କରାଯାଇଥିଲା। ଏହି ଆକ୍ରମଣ ପାଇଁ ଇମ୍ରାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କୁ ଦାୟୀ କରିଛନ୍ତି। ସଫଳ ଅସ୍ତ୍ରୋପଚାର ପରେ ରବିବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ଲାହୋରର ଏକ ଘରୋଇ ବାସଭବନକୁ ସ୍ଥାନାନ୍ତର କରାଯାଇଛି।

Share