ତ୍ୱରାନ୍ବିତ ହେଉନି ଉନ୍ନୟନ କାର୍ଯ୍ୟ: ଜନ ପ୍ରତିନିଧିଙ୍କ ମୌନ ଧାରଣା

ଦେଓଗାଁ, ୩ା୧୧ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ ଏକପ୍ରକାର ବ୍ୟାହତ ହୋଇଛି ା ଫଳରେ ମଞ୍ଜୁର ଅର୍ଥ ପୁଣି ସରକାରଙ୍କ ନିକଟକୁ ଫେରିବାକୁ ବସିଛି ା ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ସୋମବାର ଜନପ୍ରତିନିଧିମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମୌନ ଧାରଣାରେ ବସିଥିଲେ। ଫଳରେ ବିଡିଓ ନବୀନ କିଶୋର ପାଢ଼ୀ କାର୍ଯ୍ୟରେ ଯୋଗଦେଇ ନ ପାରି ଫେରି ଯାଇଥିଲେ। ଧାରଣାର ୨ଘଣ୍ଟା ପରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ସ୍ବାଇଁ ଫୋନବାର୍ତ୍ତା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ଦିଗରେ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେବା ପରେ ଜନପ୍ରତିନିଧିମାନେ ଧାରଣାରୁ ଓହରିଥିଲେ ା ଗତ ୨୦୧୯ ଅଗଷ୍ଟ ମାସ ୧୩ ତାରିଖରେ ହୋଇଥିବା ଭୟଙ୍କର ବନ୍ୟା ସମୟରେ ଭାଙ୍ଗି ଯାଇଥିବା ରାସ୍ତାଘାଟ ମରାମତି ପାଇଁ ଆସିଥିବା ୧କୋଟି ୫୪ ଲକ୍ଷ ୮ଶହ ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି ା କେଉଁ ରାସ୍ତା କେତେ ଟଙ୍କାରେ ଉନ୍ନତୀକରଣ ହେବ ତାହା ନିଷ୍ପତ୍ତି ସରିଛି। ହେଲେ କାମ ଆରମ୍ଭ କରାଯାଉନାହିଁ ା ଫଳରେ ଅକ୍ଟୋବର ୨୧ ତାରିଖରେ ହୋଇଥିବା ପଞ୍ଚାୟତ ସମିତି ବୈଠକରେ ସମସ୍ତ ଜନପ୍ରତିନିଧି ଏ ନେଇ ଦାବି କରିବା ପରେ ବିିଡିଓ ପାଢ଼ୀ ୭ଦିନ ମଧ୍ୟରେ ପଡି ରହିଥିବା ଉନ୍ନୟନ କାର୍ଯ୍ୟର ଫାଇଲ ଖୋଲାଯାଇ କାର୍ଯ୍ୟ ଆରମ୍ଭର ପ୍ରତିଶ୍ରୁତି ଦେଇଥିଲେ ା ହେଲେ ଇତିମଧ୍ୟରେ ୧୧ଦିନ ବିତିଯାଇଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସୋମବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନା ମେହେରଙ୍କ ନେତୃତ୍ୱରେ ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀଙ୍କ ସହ ୧୯ଟି ପଞ୍ଚାୟତର ସମିତି ସଭ୍ୟାସଭ୍ୟ, ସରପଞ୍ଚ ବ୍ଲକ ସମ୍ମୁଖରେ ମୌନ ଧାରଣା ଦେଇଥିଲେ ା