ସହରରେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବାଲେଶ୍ୱର ଅଫିସ, ୧୧।୧: ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ହୋଇପଡିଛି ଟ୍ରାଫିକ୍‌ ବ୍ୟବସ୍ଥା। ଟ୍ରାଫିକ୍‌ ନିୟମ ଠିକ୍‌ ଭାବେ ପାଳନ ହେଉ ନ ଥିବା ବେଳେ ବେଆଇନ ପାର୍କିଂ ଯୋଗୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଆମ୍ବୁଲାନ୍ସଠାରୁ ବିଭିନ୍ନ ଜରୁରୀସେବାରେ ବିଳମ୍ବ ହେଉଛି। ଏସବୁ ସମସ୍ୟାର ସମାଧାନ ନିମନ୍ତେ ସାମାଜିକ ସଙ୍ଗଠନ ‘ହେଲପିଂ ସୋସାଇଟି ବାଲେଶ୍ୱର’ର ସଦସ୍ୟମାନେ ବାଲେଶ୍ୱରର ନୂତନ ଏସ୍‌ପି ସାଗରିକା ନାଥଙ୍କୁ ଭେଟି ଲିଖିତ ଅବଗତ କରାଇଛନ୍ତି।
ଟ୍ରାଫିକ୍‌ ପୋଲିସ ନିୟମ ପାଳନ ଦିଗରେ ଯତ୍ନବାନ ହେଉନାହାନ୍ତି, ଟ୍ରାଫିକପୋଷ୍ଟରେ ଜୋବ୍ରାକ୍ରସିଂ ନ ଥିବାରୁ ଯିଏ ଯେମିତି ପାରୁଛି ଛିଡ଼ା ହେଉଛନ୍ତି, ଜରୁରୀକାଳୀନ ଲେନରେ ଯାନବାହନ ଜାମ୍‌ ହେଉଥିବାରୁ ଆମ୍ବୁଲାନ୍ସ ଯା’ଆସରେ ଅସୁବିଧା ହେଉଛି। ସିଗନାଲ ଲାଇଟ ବ୍ୟବସ୍ଥାରେ ଟାଇମର ନ ଥିବାରୁ କିଏ କେଉଁ ପଟେ କେତେବେଳେ ଚାଲିଆସୁଛି ଓ ଛୋଟବଡ଼ ଦୁର୍ଘଟଣା ଘଟୁଛି, ସିସିଟିଭି କେଉଁଠି ଖରାପ ହୋଇଗଲାଣି ତ କେଉଁଠି ଭାଙ୍ଗି ଖସିପଡ଼ିଲାଣି, ଫଳରେ ଅପରାଧ ନିୟନ୍ତ୍ରଣ ବଦଳରେ ଅଧିକ ହେଉଛି। ଫାଣ୍ଡିଛକରୁ ମୋତିଗଞ୍ଜ ଯାଏ ଥିବା ରାସ୍ତାରେ ମେଡିକାଲ ଥିବା ବେଳେ ଚିଡ଼ିଆପୋଲ ନିକଟରେ ବହୁ ଗାଡି ବେଆଇନ ଭାବେ ପାର୍କିଂ କରି ରାସ୍ତା ଉପରେ ରଖାଯାଉଛି। ଫଳରେ ରାସ୍ତା ଜାମ୍‌ ହେଉଛି, ଯଦ୍ୱାରା ଅନେକ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଯା’ଆସରେ ଅସୁବିଧା ଭଳି ବିଭିନ୍ନ ସମସ୍ୟା ଦେଖାଦେଉଛି। ଏସ୍‌ପିଙ୍କୁ ସାକ୍ଷାତ୍‌ ସମୟରେ ସଙ୍ଗଠନ ସଭାପତି ହ୍ରିତିକ୍‌ ନାୟକ, ଉପସଭାପତି ଜୀବନ ସଂଗ୍ରାମ ମିଶ୍ର ଓ ସଭାପତି ଶେଖ୍‌ ନାଜିମ୍‌, ସାଧାରଣ ସମ୍ପାଦକ ଅରୁପ ସାହୁ, ରଜତ ଘଡ଼େଇ, ଦିବ୍ୟରଞ୍ଜନ୍‌ ଦାଶ, ସୁମିତ ରଞ୍ଜନ କର ଓ ସମ୍ପାଦକ ପଙ୍କଜ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।