ସୁଧୁରୁନି ପରିମଳ, ଡ୍ରେନେଜ ବ୍ୟବସ୍ଥା

ଜଟଣୀ,୬।୧୦(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ୨୩ ଓ୍ବାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ୬ଟି ଓ୍ବାର୍ଡ ରେଲଓ୍ବେ ପ୍ରଶାସନ ଅଧୀନରେ ଥିବା ବେଳେ ଅନ୍ୟ ଓ୍ବାର୍ଡ ପୌର ପ୍ରଶାସନ ଅଧୀନରେ ରହିଛି। ସହରର ବିକାଶ ନଁାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିପର୍ଯ୍ୟସ୍ତ ପରିମଳ ଏବଂ ଡ୍ରେନେଜ ବ୍ୟବସ୍ଥା ପାଇଁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ପୌର ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସହରର କେତେକ ମୁଖ୍ୟ ସ୍ଥାନରୁ ପୌର ପ୍ରଶାସନ ପକ୍ଷରୁ ଅଳିଆ ସଫେଇ କରାଯାଉଥିବା ବେଳେ ଗଳକନ୍ଦିରୁ ଅଳିଆ ହଟୁନାହିଁ। ଦୀର୍ଘଦିନ ଧରି ଅଳିଆ ପଡ଼ି ରହି ଦୁର୍ଗନ୍ଧ ହେବା ସହିତ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏପରିକି ଲୋକେ ଡେଙ୍ଗୁରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ସ୍ବଚ୍ଛତା ଆଳରେ ଘରୋଇ ଠିକା ସଂସ୍ଥାକୁ ପୋଷାଯାଉଥିବା ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ କହିଛନ୍ତି। ଖାଲଖମା ରାସ୍ତା, ଡ୍ରେନ୍‌ ମରାମତି ସହ ନୂଆକରି ନିର୍ମାଣ ହେଉଥିଲେ ବି ତାହା ୩/୪ ମାସ ମଧ୍ୟରେ ନଷ୍ଟ ହୋଇଯାଉଛି। ବିଭିନ୍ନ ଓ୍ବାର୍ଡର ଡ୍ରେନ ଉପରେ ବେଆଇନଭାବେ ବ୍ୟବସାୟିକ ପ୍ରତିଷ୍ଠାନ, ବାସଗୃହ ନିର୍ମାଣ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ଡ୍ରେନ ଠିକ୍‌ ଭାବେ ସଫେଇ ନ ହେବାରୁ ବର୍ଷାଜଳ ଓ ମଇଳା ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମି ରହୁଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୧୨ ନମ୍ବର ଓ୍ବାର୍ଡ ଅଞ୍ଚଳରେ ଅଳିଆ ଗଦା ହୋଇ ରହିଛି। ଦୁର୍ଗନ୍ଧ ହେବାରୁ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରୁନାହାନ୍ତି। ସେହିପରି ୮ନଂ. ଓ୍ବାର୍ଡର ରାସ୍ତା ଖାଲଖମାରେ ଦୀର୍ଘ ବର୍ଷ ଧରି ପଡି ରହିବା ଫଳରେ ଯାତାୟାତ କରିବାରେ ଲୋକେ ହଇରାଣ ହେଉଛନ୍ତି। ୧୨ ନମ୍ବର ଓ୍ବାର୍ଡର ପୂର୍ବତନ କାଉନସିଲ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଏନେଇ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ସେହିପରି ୮ନଂ. ଓ୍ବାର୍ଡ କାଉନସିଲର ସୌମେନ୍ଦ୍ର ପଟ୍ଟନାୟକ କହିଛନ୍ତି, ଉପୁଜିଥିବା ସମସ୍ୟା ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏକ କଲଭର୍ଟ ନିର୍ମାଣ କରାଯିବା ନେଇ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଅନ୍ୟପଟେ ସମସ୍ତ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯାଇ ପରିବେଶ ଦୂଷିତ କରୁଥିବା ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଟଣୀ ନଗରପାଳ ଅନନ୍ତ ବେହେରା କହିଛନ୍ତି।