Categories: ଖେଳ

ଟିମ୍‌ ଇଣ୍ଡିଆକୁ ଅନୁପଯୁକ୍ତ ଖାଦ୍ୟ, ଆୟୋଜକଙ୍କ ଉପରେ ଅସନ୍ତୋଷ ବଢ଼ିଲା…

ମେଲବୋର୍ନ,୨୬।୧୦ : ମେଲବୋର୍ନରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ପରେ ଟିମ ଇଣ୍ଡିଆ ସିଡନୀରେ ଅଛି। ନେଦରଲାଣ୍ଡ ବିପକ୍ଷ ଦ୍ୱିତୀୟ ସୁପର -୧୨ ମ୍ୟାଚରେ ଟିମ୍‌ ଇଣ୍ଡିଆକୁ ସେଠାରେ ଖେଳିବାକୁ ପଡିବ। ଏହି ମ୍ୟାଚ ୨୭ ଅକ୍ଟୋବରରେ ଖେଳାଯିବ। ମ୍ୟାଚ ପୂର୍ବରୁ ସିଡନୀରେ ହେବାକୁ ଥିବା ଟୁର୍ନାମେଣ୍ଟର ଆୟୋଜକଙ୍କ ଉପରେ ଟିମ ଇଣ୍ଡିଆ ଅସନ୍ତୁଷ୍ଟ ହୋଇଛି। ବାସ୍ତବରେ, ଭାରତୀୟ ଖେଳାଳୀମାନଙ୍କୁ ଅଭ୍ୟାସ ପରେ ଥଣ୍ଡା ଖାଦ୍ୟ ପରିବେଷଣ କରାଯାଇଥିଲା। ଏଥି ସହିତ ତାଙ୍କୁ ଅଭ୍ୟାସ ପାଇଁ ୪୨ କିଲୋମିଟର ଦୂରକୁ ଯିବାକୁ କୁହାଯାଇଥିଲା। ଖେଳାଳିମାନେ ଏତେ ଦୂର ଯାତ୍ରା କରିବାକୁ ମନା କରିଦେଇଥିଲେ।

ନ୍ୟୁଜ ଏଜେନ୍ସି ବିସିସି ସୂତ୍ରରୁ ପ୍ରକାଶ ଯେ ସିଡନୀରେ ଅଭ୍ୟାସ ପରେ ଦିଆଯାଇଥିବା ଖାଦ୍ୟରେ ଟିମ ଇଣ୍ଡିଆ ଖୁସି ନୁହେଁ। ଭାରତୀୟ ଖେଳାଳିମାନଙ୍କୁ ଅଭ୍ୟାସ ପରେ ଗରମ ଖାଦ୍ୟ ଦିଆଯାଇ ନ ଥିଲା। ଖାଦ୍ୟ ତାଲିକାରେ ସାଣ୍ଡୱିଚ ଅନ୍ତର୍ଭୁକ୍ତ କରାଯାଇଥିଲା । ବିସିସିର ଏକ ସୂତ୍ରରୁ ପ୍ରକାଶ, ଟିମ ଇଣ୍ଡିଆକୁ ଦିଆଯାଇଥିବା ଖାଦ୍ୟ ଭଲ ନ ଥିଲା। ସେମାନଙ୍କୁ କେବଳ ସାଣ୍ଡୱିଚ ଖାଇବାକୁ ଦିଆଯାଇଥିଲା। ସେମାନେ ଆଇସିସିକୁ ମଧ୍ୟ କହିଛନ୍ତି ଯେ ସିଡନୀରେ ଅଭ୍ୟାସ ଅଧିବେଶନ ପରେ ଦିଆଯାଇଥିବା ଖାଦ୍ୟ ଥଣ୍ଡା ଏବଂ ଭଲ ନୁହେଁ।

ଟି -୨୦ ବିଶ୍ୱକପ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଖାଦ୍ୟ ଯୋଗାଉଛି। ଆଶ୍ଚର୍ଯ୍ୟର କଥା, ମଧ୍ୟାହ୍ନ ଭୋଜନ ପରେ ଆଇସିସି କୌଣସି ଗରମ ଖାଦ୍ୟ ଯୋଗାଉ ନାହିଁ। ଦ୍ୱିପାକ୍ଷିକ ସିରିଜ ସମୟରେ ଖାଦ୍ୟ ହୋଷ୍ଟ ଦ୍ୱାରା ଯୋଗାଇ ଦିଆଯାଇ ଥାଏ। ବିସିସି ସୂତ୍ରରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ହୋଟେଲଠାରୁ ପ୍ରାୟ ୪୫ ମିନିଟ ଦୂରରେ ସିଡନୀ ନିକଟରେ ଥିବା ଏକ ଛୋଟ ସହର ବ୍ଲାକଟାଉନରେ ସେମାନଙ୍କୁ ଅଭ୍ୟାସ ସ୍ଥାନ ଦିଆଯାଇଥିବାରୁ ଟିମ ଇଣ୍ଡିଆ ମଧ୍ୟ ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରିନାହିଁ। ଆଇସିସି ସୂତ୍ର ଏହି ପ୍ରସଙ୍ଗରେ କହିଛି ଯେ ଖାଦ୍ୟର ମେନୁ ସମସ୍ତ ଦଳକୁ ପୂର୍ବରୁ କୁହାଯାଇଛି।

Share