ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଟବା‌କୋ ଉପରେ କଟକଣା ଜାରି କରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡ଼ିକୁ ହାଇକୋର୍ଟ ଖାରଜ କରିଛନ୍ତି। ଏଥି ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚଳିତବର୍ଷ, ଜାନୁଆରୀ ୨୧ର ବିଜ୍ଞପ୍ତିକୁ ଆଇନ ସମ୍ମତ ବୋଲି ହାଇକୋର୍ଟ କହିଛନ୍ତି। ଏହି ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ସହିତ ଏହାକୁ ଚାଲେଞ୍ଜ କରି ଗୋପାଳ ଆରୋମାଟିକ୍ ଓ ଅନ୍ୟାନ୍ୟ କମ୍ପାନ ଗୁଡ଼ିକ ତରଫରୁ ଦାୟର ୪ଟି ମାମଲାକୁ ଖାରଜ କରିଛନ୍ତି।

ପୂର୍ବରୁ ଏହି ମାମଲାରେ ରହିତାଦେଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଠାଇ ଦେଇଛନ୍ତି ହାଇକୋର୍ଟ। ରାୟରେ ଉଲେଖ ରହିଛି ଯେ, ଜନସ୍ୱାସ୍ଥ୍ୟର ସୁରକ୍ଷା କରିବା ରାଜ୍ୟର ମୌଳିକ କର୍ତ୍ତବ୍ୟ। ବ୍ୟବସାୟିକ ସ୍ୱାର୍ଥ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନର ଅଧିକାର ଅଧିକ ଗୁରୁତ୍ୱପୂର୍ଣ୍ଣ। ଚଳିତବର୍ଷ ଜାନୁଆରୀ ୨୧ର ପ୍ରକାଶିତ ବିଜ୍ଞପ୍ତି ଖାଦ୍ୟ ସୁରକ୍ଷା ଓ ମାନକ (ବିକ୍ରିୟ ନିଷେଧ ଓ ପ୍ରତିବନ୍ଧକ) ନିୟମାବଳୀ, ୨୦୧୧ ଓ ଏଫଏସଏସଏ କାର୍ଯ୍ୟକାରିତା ପାଇଁ ଲାଗୁ ହେବ। ଏପରି ବିଜ୍ଞପ୍ତି ପରେ ଜିଏସଟି କର୍ତ୍ତୃପକ୍ଷଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଗୁଡ଼ିକ ଆଇନ ଅନୁଯାୟୀ ସ୍ୱତନ୍ତ୍ର ଭାବେ ବିଚାର କରାଯିବ।

ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଏଫଏସଏସଏ ନିୟମାବଳୀର ଅନୁପାଳନ ପାଇଁ ଉଦ୍ଦିଷ୍ଟ ବୋଲି ହାଇକୋର୍ଟ କହିଛନ୍ତି।ଆବଦେନକାରୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଥିଲା ଯେ , ରାଜ୍ୟ ସରକାର ଗତ ଜାନୁଆରୀ ୨୧ରେ ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ‘ଚିୱିଙ୍ଗ୍ ଟବାକୋ’ ବିକ୍ରି ଉପରେ କଟକଣା ଜାରି କରିଥିଲେ। କିନ୍ତୁ ଏହି ବିଜ୍ଞପ୍ତିରେ ଟବାକୋ’କୁ ଖାଦ୍ୟ ପରିସରଭୁକ୍ତ କରାଯାଇଛି । କିନ୍ତୁ ଚିୱିଙ୍ଗ୍ ଟବାକୋ ଫୁଡ୍ ସେପ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ ପରିସର ଭିତରେ ଆସୁନାହିଁ। ଏହା କୋଟପା ଭିତରେ ଆସୁଛି ଓ ଏହା କେନ୍ଦ୍ରୀୟ ଆଇନ ଦ୍ବାରା ପରିଚାଳିତ।ରାଜ୍ୟ ସରକାର ଏହି ଚିୱିଙ୍ଗ୍‌ ଟବାକୋକୁ ଫୁଡ୍‌ ସେଫ୍‌ଟି ଏବଂ ଷ୍ଟାଣ୍ଡାର୍ଡ ଆଇନ ଆଧାରରେ ଖାଦ୍ୟ ବୋଲି ଦର୍ଶାଇଛନ୍ତି । ତେଣୁଏହି ଚିୱିଙ୍ଗ୍ ଟବାକୋ ଖାଦ୍ୟ ଉତ୍ପାଦ ମଧ୍ଯରେ ଆସୁ ନ ଥୂବାରୁ ଏହି ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନକାରୀ ମାମଲାରେ ଦର୍ଶାଇଥିଲେ।

 

Dharitri – Odisha’s No.1 Odia Daily

Share