ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍ଫେଡ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧଚାଷୀଙ୍କ ପାଇଁ ଏକ ଆଶ୍ୱସ୍ତିକର ପଦକ୍ଷେପ ହେବା ସହ ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି। ଗତ କିଛିଦିନ ଧରି ବିଶ୍ୱ ବଜାରରେ ତୈଳ ଦରରେ କ୍ରମାଗତ ବୃଦ୍ଧି ଯୋଗୁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ପରିବହନ ଖର୍ଚ୍ଚରେ ବୃଦ୍ଧି ଘଟିଛି। ଦୁଗ୍ଧ ଉତ୍ପାଦନ ସହ ଜଡ଼ିତ ପ୍ରାୟ ସମସ୍ତ ଉପାଦାନର ମୂଲ୍ୟ ବଢ଼ିଥିବାରୁ ଦୁଗ୍ଧଚାଷୀମାନଙ୍କ ଉପରେ ଆର୍ଥିକ ଚାପ ବୃଦ୍ଧି ପାଇଛି। ଏଥିସହ ଗୋଖାଦ୍ୟ, ଘାସଚାରା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବା ଫଳରେ ଗୋପାଳନର ଦୈନିକ ଖର୍ଚ୍ଚ ମଧ୍ୟ ବଢ଼ିଛି। ଖର୍ଚ୍ଚ ବୃଦ୍ଧି ଯୋଗୁ ଦୁଗ୍ଧ କ୍ରୟ ମୂଲ୍ୟରେ ଅନୁପାତିକ ବୃଦ୍ଧି କରାଯିବା ଜରୁରୀ। ନଚେତ୍ ଗୋପାଳନକୁ ମୁଖ୍ୟ ଜୀବିକା କରିଥିବା ଦୁଗ୍ଧଚାଷୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ହୃଦୟଙ୍ଗମକରି ଓମ୍ଫେଡ୍ ଏହି ନିଷ୍ପତ୍ତି ନେଇଥିବା କହିଛି।