ସୁପ୍ରିମକୋର୍ଟରେ ହାଜର ହେଲେ ଇମ୍ରାନ

ଇସଲାମାବାଦ,୧୧।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ଗିରଫକୁ ନେଇ ଗୁରୁବାର (ମେ ୧୧)ରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶୁଣାଣିରେ ଇମ୍ରାନଙ୍କ ଗିରଫକୁ ନେଇ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସହିତ ତାଙ୍କ ଗିରଫକୁ ବେଆଇନ ଘୋଷଣା କରାଯାଇଛି।

କୋର୍ଟ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରି ନ୍ୟାୟପାଳିକାର ପ୍ରତିଷ୍ଠାକୁ ଆଘାତ କରାଯାଇଛି। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ କୋର୍ଟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୋର୍ଟ ଏନଏବିଙ୍କୁ ପଚାରିଛନ୍ତି ଯେ କିପରି କୋର୍ଟରୁ ଗିରଫ କରାଯାଇପାରିବ?
ଶୁଣାଣି କରୁଥିବା ବେଞ୍ଚ କହିଛନ୍ତି ଯେ କୋର୍ଟରୁ କାହାକୁ ଗିରଫ କରାଯାଇପାରିବ ନାହିଁ। ଏନଏବି କୋର୍ଟଙ୍କୁ ଅପମାନିତ କରିଛି। ଏଥି ସହିତ, ଅପରାହ୍ନ ୪ ଟା ସମୟରେ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର ହେବାକୁ କହିଥିଲେ। ଏହା ସହିତ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ଯେ ଇମ୍ରାନ ଖାନଙ୍କ ଆଗମନ ପରେ ରାଜନୈତିକ ନେତା ଓ କର୍ମୀମାନେ ସୁପ୍ରିମକୋର୍ଟକୁ ଆସିବେ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ପିଟିଆଇ ମୁଖ୍ୟଙ୍କୁ କୋର୍ଟକୁ ଅଣାଯାଇଥିଲା। ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପିଟିଆଇ ମୁଖ୍ୟଙ୍କୁ ଦେଖି ପ୍ରଧାନ ବିଚାରପତି କହିଥିଲେ, ଗୁଡ ଟୁ ସି ୟୁ।

Share