Categories: ବାଣିଜ୍ୟ

ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜାପାନ-ଭାରତ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରୀ ସହଯୋଗ ବୁଝାମଣାକୁ ଅନୁମୋଦନ ଦିଆଯାଇଛି। ବିଶେଷକରି ଏହି ସହଯୋଗ ବୁଝାମଣାପତ୍ର (ଏମ୍‌ଓସି) ୨୦୨୩ ଜୁଲାଇରେ ସ୍ବାକ୍ଷର କରାଯାଇଥିଲା। ଏଥିରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଜାପାନ ପକ୍ଷରୁ ଅର୍ଥନୀତି, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରତିନିଧି ମିଳିତ ଭାବେ ସ୍ବାକ୍ଷର କରିଥିଲେ। ଏପରିକି ଏହା ଭାରତ-ଜାପାନ ସେମି କଣ୍ଡକ୍ଟର ଯୋଗାଣ ଶୃଙ୍ଖଳା ଅଂଶୀଦାରି ନାମରେ ପରିଚିତ ହେବ ବୋଲି ଉଭୟ ପକ୍ଷରୁ କୁହାଯାଇଥିଲା। ସେହିଭଳି ଏହି ଏମ୍‌ଓସି ଦୁଇ ଦେଶ ମଧ୍ୟରେ ସେମି କଣ୍ଡକ୍ଟର କାରବାର ଓ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବାରେ ବେଶ୍‌ ସହାୟକ ହେବ। ଏପରିକି ଡିଜିଟାଲ ଟେକ୍ନୋଲୋଜି ଓ ଉଦ୍ୟୋଗର ବିକାଶରେ ସେମିକଣ୍ଡକ୍ଟରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି। ତେଣୁ ଭାରତ ଓ ଜାପାନ ଉଭୟ ଉକ୍ତ ବୁଝାମଣା ସହଯୋଗ ଦ୍ୱାରା ଉପକୃତ ହେବେ। ବିଶେଷକରି ଏହି ଏମ୍‌ଓସି ସ୍ବାକ୍ଷରିତ ହେବା ଦିନଠାରୁ କାର୍ଯ୍ୟକାରୀ ହେବା ସହ ୫ବର୍ଷ ଯାଏ ବଳବତ୍ତର ରହିବ। ଏହାଦ୍ୱାରା ଉଭୟ ଦେଶ ଜି୨ଜି ଓ ବି୨ଜି ଦ୍ୱିପାକ୍ଷିକ ସହଯୋଗ ଭିତ୍ତିରେ ପରସ୍ପରକୁ ସାହାଯ୍ୟ କରି ଉତ୍ତମ ମାନର ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ସୁଦୃଢ କରିବାକୁ କାମ କରିବେ। ଉଲ୍ଲେଖଯୋଗ୍ୟ, ଭାରତରେ ଏକ ସୁଦୃଢ ଓ ଉତ୍ତମ ଇଲେକ୍ଟ୍ରୋନିକ୍ସ ତଥା ସେମିକଣ୍ଡକ୍ଟର ଉତ୍ପାଦନ ଭିତ୍ତିଭୂମି ନିର୍ମାଣ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗୁରୁତ୍ୱର ସହି କାମ କରୁଛି। ଏପରିକି ଭାରତରେ ସେମିକଣ୍ଡକ୍ଟର ଫ୍ୟାବ୍ସ, ଡିସ୍ପ୍ଲେ ଫ୍ୟାବ୍ସ, କମ୍ପାଉଣ୍ଡ ସେମିକଣ୍ଡକ୍ଟର,ସିଲିକନ୍‌ ଫଟୋନିକ୍ସ,ସେନ୍ସର୍‌,ଡିସକ୍ରିଟ୍‌ ସେମିକଣ୍ଡକ୍ଟର, ସେମି କଣ୍ଡକ୍ଟର ପ୍ରସ୍ତୁତି, ଟେଷ୍ଟିଂ, ମାର୍କିଂ ଓ ପ୍ୟାକେଜିଂ (ଏଟିଏମ୍ପି) ଆଉଟସୋର୍ସଡ୍‌ ସେମି କଣ୍ଡକ୍ଟର ଆସେମ୍ବ୍ଲି ଓ ଟେଷ୍ଟ (ଓଏସ୍‌ଏଟି) ବ୍ୟବସ୍ଥା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଛି।

Share