ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣକୁ ଗୁରୁତ୍ୱ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ଏବଂ ବିକାଶର ଗତି ଜାରି ରଖିବା ଲାଗି ସଡ଼କ, ସେତୁ, ବିମାନବନ୍ଦର, ରେଲଓ୍ବେ ଅଧୀନରେ ୧୯ ହଜାର ୪୫୨ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ଅଣ ପ୍ରମୁଖ ବନ୍ଦର ବିକାଶ ପାଇଁ ୧୪ଟି ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରାଯାଇଛି। ଜନସାଧାରଣ ଓ ସାମଗ୍ରୀର ସୁରକ୍ଷିତ ପରିବହନ ଲାଗି ସଡ଼କ ସୁରକ୍ଷା ପାଣ୍ଠି ପାଇଁ ଅନୁଦାନ ରାଶି ବୃଦ୍ଧି କରାଯାଇଛି ଏବଂ ବଜେଟରେ ୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ଯୋଜନା ଆନୁକୂଲ୍ୟରେ କୁଶଳୀ ଚାଳକ ସୃଷ୍ଟି କରାଯିବା ଲାଗି କେନ୍ଦୁଝର, ଗଞ୍ଜାମ ଜିଲାର ବ୍ରହ୍ମପୁର, ସୁନ୍ଦରଗଡ଼ର ବଣାଇ, ଯାଜପୁରର ଛତିଆଠାରେ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି। ଏଥିରେ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯାନବାହନଗୁଡ଼ିକର ସ୍ବୟଂଚାଳିତ ଯାଞ୍ଚ ପାଇଁ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ଅନୁଗୋଳ, ଗଞ୍ଜାମ, କେନ୍ଦୁଝରରେ ଅଟୋମେଟେଡ୍‌ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରାଯିବ। ଜାତୀୟ ରାଜପଥରେ ଭିଡ଼ ଏଡ଼ାଇବା ଲାଗି ଅନୁଗୋଳ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନବରଙ୍ଗପୁରରେ ଟ୍ରକ୍‌ ଟର୍ମିନାଲ ସ୍ଥାପନ ହେବ। ଏସବୁ କାର୍ଯ୍ୟ ଲାଗି ୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ଲାଗି ୩୨୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ଓଡ଼ିଶାର ବିଭିନ୍ନ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ଆମ ବସ୍‌ଷ୍ଟାଣ୍ଡର ବିକାଶ କରାଯାଉଛି। ସାରା ରାଜ୍ୟରେ ନିଶ୍ଚିତ ଓ ସୁଲଭ ପରିବହନ ସୁବିଧା ଯୋଗାଇଦେବା ପାଇଁ ଲୋକେଶନ ଆସେସବଲ ମଲ୍‌ଟିମୋଡାଲ ଇନିସିଏଟିଭ୍‌ (ଏଲ୍‌ଏସିସିଏମ୍‌ଆଇ) ନାମକ ନୂଆ ଯୋଜନା ଆରମ୍ଭ ହୋଇଛି। ସଡ଼କ ପରିବହନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ଲାଗି ଇଣ୍ଟର ମଡେଲ ସଂଯୋଗ ସେବା ଆରମ୍ଭ ହେବ। ଏଥିପାଇଁ ବଜେଟରେ ୧୦୦କୋଟିର ପ୍ରସ୍ତାବ ରହିଛି।