Categories: ଜାତୀୟ

କରୋନା ମୁକାବିଲାରେ ଜନଭାଗିଦାରୀକୁ ଗୁରୁତ୍ୱ

ନୂଆଦିଲ୍ଲୀ, ୧୫।୪: ଦେଶରେ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ଏବଂ ଟିକାକରଣ ସମ୍ପର୍କରେ ବୁଧବାର ସମସ୍ତ ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ସହ ଆଲୋଚନା କରିଛନ୍ତି। ମହାମାରୀ ବିରୋଧରେ ଲଢ଼େଇ ପାଇଁ ଜନସାଧାରଣଙ୍କ କର୍ତ୍ତବ୍ୟ ବୋଧ ସବୁଠୁ ବଡ଼ ଶକ୍ତି। ଗତବର୍ଷ ମହାମାରୀ ବିରୋଧରେ ଲଢ଼େଇ କରିଥିବା କୋଭିଡ୍‌ ଯୋଦ୍ଧାମାନଙ୍କୁ ମୋଦି ପ୍ରଶଂସା କରିଥିଲେ। ଏବେ ସେହିଭଳି ମାନସିକତା ସହ ଜନଭାଗିଦାରୀକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି। ପର୍ଯ୍ୟାପ୍ତ ପରିମାଣରେ କୋଭିଡ୍‌ ଟିକା ଉପଲବ୍ଧ ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସହ ସାମାଜିକ ଅନୁଷ୍ଠାନଗୁଡ଼ିକ ଯେପରି ନିରବିଚ୍ଛିନ୍ନ ଭାବେ ସମନ୍ବୟ ରଖି ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।
ସେହିପରି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ରାଜ୍ୟପାଳମାନଙ୍କ ସହ କଥା ହେବା ଅବସରରେ କରୋନାକୁ ପରାଜିତ କରିବାକୁ ହେଲେ ରାଜନୈତିକ ମତପାର୍ଥକ୍ୟ ଭୁଲି ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସେ କୋଭିଡ୍‌ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ ଏବଂ ଚିକିତ୍ସା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ।

Share