Categories: ଜାତୀୟ

ୟୁକ୍ରେନ୍‌ରେ ନାଗରିକ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଭର୍ଚୁଆଲ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ୟୁକ୍ରେନ୍‌ ଜନସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ନିରବଚ୍ଛିନ୍ନ ମାନବୀୟ ସହାୟତା ପ୍ରେରଣ ଉପରେ ଭାରତ ଗୁରୁତ୍ୱ ଦେଇଛି। ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନ୍‌କୁ ଭାରତ ଔଷଧ ଓ ରିଲିଫ ସହାୟତା ଯୋଗାଇ ଦେଉଛି। ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଆଲୋଚନା ଶାନ୍ତି ଫେରାଇ ଆଣିବା ନେଇ ଭାରତ ଆଶାବାଦୀ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ବୁଚା ସହରରେ ନିରୀହ ଲୋକଙ୍କୁ ହତ୍ୟା କରାଯିବା ଘଟଣାକୁ ଭାରତ ତୁରନ୍ତ ନିନ୍ଦା କରିବା ସହ ଏହାର ଉପଯୁକ୍ତ ତଦନ୍ତ ଦାବି କରିଥିଲା ବୋଲି ଭର୍ଚୁଆଲ ଆଲୋଚନା ବେଳେ ମୋଦି ବାଇଡେନ୍‌ଙ୍କୁ କହିଛନ୍ତି। ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଓ୍ବାଶିଂଟନ ଯାଇଥିବାବେଳେ ଭାରତ-ଆମେରିକା ସହଭାଗିତା ଅନେକ ବିଶ୍ୱିକ ସମସ୍ୟାର ସମାଧାନ କରିପାରିବ ବୋଲି ସେତେବେଳେ ବାଇଡେନ୍‌ କହିଥିଲେ। ତାଙ୍କର ଏହି ଉକ୍ତିରେ ସମ୍ପୂର୍ଣ୍ଣ ସହମତ ବୋଲି ମୋଦି କହିବା ସହ ବିଶ୍ୱର ବୃହତ ଓ ସର୍ବପୁରାତନ ଗଣତନ୍ତ୍ର ସ୍ବାଭାବିକ ବନ୍ଧୁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ରୁଷିଆରୁ ଭାରତ ତେଲ କିଣିବା ନିଷ୍ପତ୍ତି ସମେତ ୟୁକ୍ରେନ୍‌ ସଙ୍କଟ ବେଳେ ନୂଆଦିଲ୍ଲୀର ଆଭିମୁଖ୍ୟକୁ ନେଇ ଓ୍ବାଶିଂଟନ ଅସନ୍ତୋଷ ବ୍ୟକ୍ତ କରିଆସିଛି। ଯୁଦ୍ଧକୁ ନେଇ ଭାରତର ପ୍ରତିକ୍ରିୟା ସମ୍ପର୍କରେ ମୋଦି କହିଥିଲେ, ସେ ଅନେକ ଥର ରୁଷିଆ ଓ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ଓ ଶାନ୍ତି ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ସିଧାସଳଖ କଥା ହେବା ପାଇଁ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ପରାମର୍ଶ ଦେଇଥିଲେ ବୋଲି ଭର୍ଚୁଆଲ ବୈଠକରେ କହିଛନ୍ତି।

Share