ଏସ୍‌ଓପି, କଣ୍ଟିଜେନ୍ସ ପ୍ଲାନ କାର୍ଯ୍ୟକାରୀ କର

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଝାଡ଼ଖଣ୍ଡ ଦେଓଘର ତ୍ରିକୂଟ ରୋପ୍‌ଓ୍ବେ ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଏଭଳି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ରୋପ୍‌ଓ୍ବେ ପ୍ରକଳ୍ପ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଏବଂ ଏକ କଣ୍ଟିଜେନ୍ସି ପ୍ଲାନ (ଜରୁରିକାଳୀନ ଯୋଜନା) ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଏଭଳି ଦୁର୍ଘଟଣାକୁ ଏଡ଼ାଯାଇ ପାରିବ । ଏ ନେଇ ମଙ୍ଗଳବାର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ରୋପ୍‌ଓ୍ବେ ପ୍ରକଳ୍ପ ଚଳାଇବା ଓ ରକ୍ଷଣାବେକ୍ଷଣ ପାଇଁ ବିଆଇଏସ୍‌ ଷ୍ଟାଣ୍ଡାର୍ଡକୁ ଅନୁସରଣ କରିବାକୁ କୁହାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଥିବା ନୋଡାଲ ସଂସ୍ଥା ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ଉନ୍ନୟନ ନିଗମ ( ଏନ୍‌ଏଚଆଇଡିସିଏଲ୍‌) ତତ୍ତ୍ୱାବଧାନରେ ପ୍ରକଳ୍ପ ନିର୍ମାଣ ହେବା ଦରକାର। ପ୍ରତ୍ୟେକ ରୋପ୍‌ଓ୍ବେ ପ୍ରକଳ୍ପ ପାଇଁ ଅଭିଜ୍ଞ ସଂସ୍ଥାକୁ ଦେବା ଦରକାର। ଏଥିସହିତ ରାଜ୍ୟରେ ଥିବା ସମସ୍ତ ରୋପ୍‌ଓ୍ବେ ପ୍ରକଳ୍ପର ସୁରକ୍ଷା ଅଡିଟକୁ ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ରୋପ୍‌ଓ୍ବେ ପରିଚାଳନା କରୁଥିବା ସଂସ୍ଥା ପାଇଁ ଏହା ବାଧ୍ୟତାମୂଳକ କରିବାକୁ କୁହାଯାଇଛି। ରାଜ୍ୟରେ ଥିବା ସମସ୍ତ ରୋପ୍‌ ଓ୍ବେ ପ୍ରକଳ୍ପର ସମୀକ୍ଷା କରିବା ସହ ଏସ୍‌ଓପି ଏବଂ କଣ୍ଟିଜେନ୍ସ ପ୍ଲାନ କାର୍ଯ୍ୟକାରୀ କରାଯାଉଛି କି ନାହିଁ ତାହା ନିଶ୍ଚିତ କରିବା ଦରକାର। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିୟମିତ ମକ୍‌ଡ୍ରିଲ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହିତ ଏସ୍‌ଓପି ଏବଂ କଣ୍ଟିଜେନ୍ସ ପ୍ଲାନ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରିବାକୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।