୧୧ ସହ ଗୁଣନର ସରଳ ଟ୍ରିକ୍‌

ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ କୌଶଳ ବାହାର କରିଛନ୍ତି। ସାଇଲେଣ୍ଟ ମାଥ୍‌ ନାମରେ ସେ ଏହି ଟ୍ରିକ୍‌କୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପ୍ରାୟ ୩ କୋଟି ଲୋକ ଏହାକୁ ଦେଖି ସାରିଲେଣି। ତାଙ୍କ ଟ୍ରିକ୍‌ ଅନୁସାରେ ୧୧ ସହ ଗୁଣିବାକୁ ଥିବା ସଂଖ୍ୟାଟିକୁ ପ୍ରଥମେ ଅଲଗା କରିବାକୁ ପଡ଼ିବ। ପରେ ସେହି ସଂଖ୍ୟାର ଅଙ୍କଗୁଡ଼ିକୁ ମିଶାଇ ଯୋଗଫଳକୁ ସଂଖ୍ୟା ମଝିରେ ରଖିଦେଲେ ଗୁଣଫଳ ବାହାରିଯିବ। ଯଦି ୧୧ ସହ ୩୨ର ଗୁଣନ କରିବାକୁ ଚାହୁଁଛନ୍ତି ତେବେ ୩ ଓ ୨ ମଝିରେ (୩+୨=୫) ୫କୁ ରଖିଲେ ଗୁଣଫଳ ୩୫୨ ବାହାରିବ। ୧୧ ଓ ୪୬ର ଗୁଣଫଳ ବାହାର କରିବାକୁ ହେଲେ ୪ ଏବଂ ୬ର ଯୋଗଫଳ ୧୦ ସଂଖ୍ୟାର ୦କୁ ଏହି ଅଙ୍କ ଦୁଇଟି ମଝିରେ ରଖିବାକୁ ହେବ। ବଳକା ଥିବା ୧କୁ ୪ ସହ ମିଶାଯିବା ପରେ ଫଳାଫଳ ୫୦୬ ବାହାରିବ। ୯୯ ସହ ମଧ୍ୟ ଯେ କୌଣସି ସଂଖ୍ୟାର ଗୁଣନ କୌଶଳ ସେ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଆଦିରେ ଶେୟାର କରିଛନ୍ତି।

Share