ମହାଭିଯୋଗ ଭୋଟିଂ ଆଜି

ଓ୍ବାଶିଂଟନ, ୧୩ା୧: ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ହିଂସାକାଣ୍ଡକୁ ଉସୁକାଇଥିବା ଅଭିଯୋଗରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହିଷ୍କାର ପାଇଁ ନିମ୍ନ ସଦନରେ ମହାଭିଯୋଗ ଆଗତ ହୋଇସାରିଛି। ବୁଧବାର ଏହା ଉପରେ ଭୋଟିଂ କରାଯିବ। ତେବେ ସଂଶୋଧନ ୨୫କୁ ଅସ୍ତ୍ର କରି ଟ୍ରମ୍ପ୍‌ଙ୍କୁ ପଦରୁ ହଟାଯିବାକୁ ସିନେଟ୍‌ ବାଚସ୍ପତି ଜୋର୍‌ ଦେଇଛନ୍ତି।
ଗତ ୬ ତାରିଖରେ ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ଅଧିବେଶନ ଚାଲିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଧସେଇ ପଶିବା ଓ ହିଂସାକାଣ୍ଡ ଘଟଣାରେ ଟ୍ରମ୍ପଙ୍କୁ ଦାୟୀ କରାଯାଇଛି। ଏସବୁ ପାଇଁ ଟ୍ରମ୍ପ୍‌ ଲାକଙ୍କୁ ଉସୁକାଇବା ଅଭିଯୋଗରେ ତାଙ୍କ ବିରୋଧରେ ସିନେଟର ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି। ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟ ଇଲହାନ ଓମାର ଏବଂ ଡେମୋକ୍ରାଟ ଜେମି ରସ୍କିନ ୨ଟି ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ବୁଧବାର ଏହା ଉପରେ ଭୋଟିଂ କରାଯିବ। ନିମ୍ନ ସଦନରେ ଡେମୋକ୍ରାଟିକ୍‌ ସଦସ୍ୟଙ୍କ ସଂଖ୍ୟା ଗରିଷ୍ଠତା ରହିଥିବାରୁ ମହାଭିଯୋଗ ପ୍ରସ୍ତାବ ସହଜରେ ପାସ୍‌ ହେବାରେ ଅସୁବିଧା ଉପୁଜି ନ ପାରେ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ରିପବ୍ଲିକ ପାର୍ଟିର କେତେଜଣ ସଦସ୍ୟ ମଧ୍ୟ ତାଙ୍କ ବିରୋଧରେ ଭୋଟିଂ କରିପାରନ୍ତି। ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତାଙ୍କୁ ପଦରୁ ବିଦା କରିବାକୁ ସଂସଦର ଦୁଇ ତୃତୀୟାଂଶ ସଦସ୍ୟଙ୍କ ବହୁମତ ଆବଶ୍ୟକ। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଜାନୁୟାରୀ ୨୦ରେ ଶପଥ ନେବାକୁ ଥିବାବେଳେ ଏହା ପୂର୍ବରୁ ଟ୍ରମ୍ପ୍‌ଙ୍କୁ ହଟାଇବା ପାଇଁ ବାଚସ୍ପତି ନାନ୍ସି ପେଲୋସି ଏବଂ ଉପରାଷ୍ଟ୍ରପତି ମାଇକ ପେନ୍ସ ୨୫ ତମ ସଂଶୋଧନ ବ୍ୟବହାର କରିପାରିବେ। ପେଲୋସି ଓ ଡେମୋକ୍ରାଟିକ୍‌ ପାର୍ଟି ନେତା ଚକ୍‌ ଶୁମର ଏଥିପାଇଁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଏବଂ କ୍ୟାବିନେଟକୁ ଅନୁରୋଧ କରିଛନ୍ତି। ସଂଶୋଧନ ୨୫ ପାଇଁ ଉପରାଷ୍ଟ୍ରପତି ଏବଂ ଅତି କମ୍‌ରେ ୮ ଜଣ କ୍ୟାବିନେଟ୍‌ ସଦସ୍ୟଙ୍କ ଅନୁମୋଦନ ଆବଶ୍ୟକ। ଅନ୍ୟପକ୍ଷରେ ରିପବ୍ଲିକାନ ସିନେଟର ଷ୍ଟିଭ ଡାଇନ୍‌ସ ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ମନା କରିଛନ୍ତି। ସମସ୍ତେ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ହେବାରେ ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଡ଼ୁଆରେ ଫସିଥିବା ଟ୍ରମ୍ପ୍‌ ବୁଧବାର ହେବାକୁ ଥିବା ମହାଭିଯୋଗ ଭୋଟିଂକୁ ଅତ୍ୟନ୍ତ ହାସ୍ୟାସ୍ସଦ ଭାବେ ଅଭିହିତ କରି ଏଭଳି ପଦକ୍ଷେପ ଆମେରିକୀୟଙ୍କୁ କ୍ରୋଧିତ କରିବ ବୋଲି କହିଛନ୍ତି।

Share