ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆଜି

ଓ୍ବାଶିଂଟନ, ୧୧।୧(ଆଇଏଏନ୍‌ଏସ୍‌): ଆମେରିକାର କ୍ୟାପିଟୋଲ୍‌ ବିଲ୍ଡିଂରେ ୬ ତାରିଖରେ ଘଟିଥିବା ହିଂସା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଦାୟୀ କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୩ ଜଣ ଡେମୋକ୍ରାଟ ସଦସ୍ୟ ସୋମବାର ତାଙ୍କ ବିରୋଧରେ ମହାଭିଯୋଗ ଆର୍ଟିକିଲ୍‌ ଆଗତ କରିବାକୁ ଯାଉଛନ୍ତି। କଂଗ୍ରେସର ମିଳିତ ଅଧିବେଶନରେ ଇଲେକ୍ଟୋରାଲ କଲେଜ ଭୋଟ ଗଣତି ଚାଲିଥିବାବେଳେ ଟ୍ରମ୍ପ୍‌ ଜାଣିଶୁଣି ଆମେରିକା ସରକାରଙ୍କ ବିରୋଧରେ ହିଂସାକୁ ଉସୁକାଇଥିଲେ ବୋଲି ସେଥିରେ ଅଭିଯୋଗ କରାଯାଇଛି। ଟ୍ରମ୍ପ୍‌ ତାଙ୍କ ସମର୍ଥକମାନଙ୍କୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ କ୍ୟାପିଟୋଲ୍‌ରେ ବେଆଇନ କାର୍ଯ୍ୟ କରିବା ଲାଗି ଉତ୍ସାହିତ କରିଥିଲେ। ଏଥିରେ ପ୍ରେରିତ ହୋଇ ସମର୍ଥକମାନେ କ୍ୟାପିଟୋଲ ହଲ୍‌ରେ ଧସେଇ ପଶି ଦଙ୍ଗା କରିଥିଲେ। ଏଥିରେ ୫ ଜଣଙ୍କର ମୃତ୍ୟୁ ଘଟିବା ସହ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ ଦେଶର ଗଣତାନ୍ତ୍ରିକ ଇତିହାସରେ କଳା ଦାଗ ଲାଗିଥିଲା। କାଲିଫର୍ନିଆ ଡେମୋକ୍ରାଟ ପ୍ରତିନିଧି ଟେଡ୍‌ ଲିଉ, ରୋଡେ ଆଇଲାଣ୍ଡ ପ୍ରତିନିଧି ଡାଭିଡ୍‌ ସିସିଲିନ୍‌ ଏବଂ ମେରିଲାଣ୍ଡ ଡେମୋକ୍ରାଟ ସଦସ୍ୟ ଜାମି ରସ୍କିନ୍‌ ଏହି ମହାଭିଯୋଗ ଆର୍ଟିକିଲ୍‌ ଲେଖିଛନ୍ତି ଓ ତାହା ସୋମବାର ଆମେରିକା ପ୍ରତିନିଧି ସଭାରେ ଉପସ୍ଥାପନ କରାଯିବ। ଟ୍ରମ୍ପ୍‌ଙ୍କୁ ବହିଷ୍କାର କରାଯିବା ସହ ପୁନର୍ବାର ଉକ୍ତ ପଦ ପାଇଁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ ବୋଲି ଉକ୍ତ ଆର୍ଟିକିଲ୍‌ରେ ଉଲ୍ଲେଖ କରାଯାଇଛି। ଉକ୍ତ ବିଲ୍‌ର ୧୮୦ ସହ-ପ୍ରାୟୋଜକ ଅଛନ୍ତି।

‘ମହାଭିଯୋଗ ଭଳି ଅପରାଧ କରିଛନ୍ତି ଟ୍ରମ୍ପ’
ରାଷ୍ଟ୍ରପତି ପଦରୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହଟାଇବା ପାଇଁ ଡେମୋକ୍ରାଟ ସଦସ୍ୟମାନେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଥିବାବେଳେ ଜଣେ ରିପବ୍ଲିକାନ ସିନେଟର ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଟ୍ରମ୍ପ୍‌ ମହାଭିଯୋଗ ଭଳି ଅପରାଧ କରିଥିବା ପେନ୍‌ସିଲ୍‌ଭାନିଆର ରିପବ୍ଲିକାନ ସିନେଟର ପାଟ୍‌ ଟୁମି କହିଛନ୍ତି। ଯଦି ପ୍ରତିନିଧି ସଭା ମହାଭିଯୋଗ ପ୍ରସ୍ତାବର ବିଚାର ପାଇଁ ସିନେଟକୁ ପଠାଏ ତେବେ ବିଚାର ଶେଷରେ ରାଷ୍ଟ୍ରପତିଙ୍କୁ ବହିଷ୍କାର ଲାଗି ସେ ଭୋଟ ଦେବେ କି ନାହିଁ ତାହା ସ୍ପଷ୍ଟ କରିନାହାନ୍ତି।

Share