କଳାହାଣ୍ଡିରେ ଲଗାଣ ବର୍ଷା ପ୍ରଭାବ: ସମସ୍ୟାରେ ଜିଲାବାସୀ

ଭବାନୀପାଟଣା,୧୫।୯(ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି କଳାହାଣ୍ଡିବାସୀ। ଏଥର ନୂଆଁଖାଇ ମଧ୍ୟ ବର୍ଷା ଲାଗି ସାମାନ୍ୟ ଫିକା ପଡ଼ିଥିଲା। ଗତ ୧୨ ତାରିଖ ରାତିରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ଭବାନୀପାଟଣା ବ୍ଲକରେ ୫୭ ମିମି, କେସିଙ୍ଗାରେ ୫୭, କର୍ଲାମୁଣ୍ଡାରେ ୯୦, ମଦନପୁର, ରାମପୁରରେ ୯୨, ନର୍ଲାରେ ୬୯, ଲାଞ୍ଜିଗଡରେ ୬୧.୬, ଥୁଆମୂଳ ରାମପୁରରେ ୧୯, ଧର୍ମଗଡରେ ୩୭, ଜୁନାଗଡ଼ରେ ୩୨, କଲମପୁରରେ ୨୩.୨, ଜୟପାଟଣାରେ ୫, କୋକସରାରେ ୧୨.୨ ଓ ଗୋଲାମୁଣ୍ଡା ବ୍ଲକରେ ୪୭ ମିମି ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାରେ ଜିଲାରେ ୩ ଜଣଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକର ବିଡିଓ, ତହସିଲଦାର ଏବଂ ଅନ୍ୟ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ କଡ଼ା ନିର୍ଦ୍ଦେଶ ରହିବା ସହିତ ଭାଙ୍ଗିଥିବା ଘର ମାଲିକକୁ ପଲିଥିନ୍‌ ବଣ୍ଟନ କରାଯାଇଛି। ସେହିଭଳି ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀରେ ଆଗୁଆ ପଦକ୍ଷେପ ନିଆଯାଇଛି।