ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଫସଲ ଧୂଳିସାତ୍ ହୋଇଯାଉଛି। ବର୍ତ୍ତମାନ ଖରିଫ ଧାନଫସଲ ଅମଳ ପାଖେଇ ଆସିଥିବାବେଳେ ବାତ୍ୟା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ମଙ୍ଗଳବାର ରାତିରୁ ଜିଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଝଡ଼ ବତାସ ସହିତ ବର୍ଷା ହେଉଥିବା ଯୋଗୁ ଏଥିରେ ସିଧାସଳଖ ଧାନ ଫସଲ ପ୍ରଭାବିତ ହୋଇଛି । ଅମଳକ୍ଷମ ଅବସ୍ଥାକୁ ଧାନ ଆସି ତାହା କେଣ୍ଡାରେ ଝୁଲୁଥିବାବେଳେ ବାତ୍ୟା ପ୍ରଭାବରେ ଧାନଗଛଗୁଡିକ ଜମିରେ ଶୋଇପଡ଼ିଛି ଏବଂ ବର୍ଷାରେ ଭିଜୁଛି। ସେହିପରି ଧାନକେଣ୍ଡାରୁ ଧାନ ମଧ୍ୟ ଝଡ଼ିଯାଇ ଜମିରେ ପଡ଼ିଛି। ଫଳରେ ତାହା ନଷ୍ଟହେବା ସ୍ବାଭାବିକ ହୋଇପଡ଼ିଛି। ସେହିପରି ବର୍ଷାପାଗ ଲାଗି ରହିଥିବା ଯୋଗୁ ରୋଗପୋକ ଉପଦ୍ରବ ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାକୁ ନେଇ ଜିଲାରେ ଚାଷୀମାନଙ୍କ ମାନସିକ ସ୍ଥିତି ଦୋହଲି ପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ରବିଚାଷ ତୁଳନାରେ ଜିଲାରେ ଖରିଫ ସମୟରେ ଅଧିକ ଧାନଚାଷ ହୋଇଥାଏ। ଜିଲାର ଉଭୟ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳର ଚାଷୀମାନେ ଖରିଫରେ ଧାନଚାଷ କରିଥାନ୍ତି। ଏଥର ଖରିଫ ଫସଲ ଆରମ୍ଭରୁ ଅନୁକୂଳ ପାଗ ଯୋଗୁ ଜିଲାରେ ଧାନଫସଲ ଭଲ ହୋଇଥିଲା। ଚାଷୀମାନେ ମଧ୍ୟ ଭଲ ଅମଳ କରିବେ ବୋଲି ମନରେ ଆଶା ବାନ୍ଧିଥିଲେ। କିନ୍ତୁ ଅମଳ ସମୟ ଯେତିକି ପାଖେଇ ଆସୁଛି, ଚାଷୀଙ୍କ ସମସ୍ୟା ସେତେ ବେଶି ବଢ଼ିଚାଲିଛି। ପ୍ରଥମେ ଚକଡ଼ା଼ ଓ ପତ୍ରପୋଡ଼ା ରୋଗ ବ୍ୟାପିଥିଲା। ବିଭିନ୍ନ କୀଟନାଶକ ପ୍ରୟୋଗକରି ଚାଷୀମାନେ ଧାନ ଫସଲକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଫସଲରେ ରୋଗପୋକ ଦମନ ହୋଇପାରି ନ ଥିବାବେଳେ ଏବେ ବାତ୍ୟାର ପ୍ରଭାବରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅମଳ ପୂର୍ବରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବାବେଳେ ମନରୁ ଅମଳ ଆଶା ଉଜୁଡ଼ି ଯାଇଛି।
ବରଗଡ଼ ବ୍ଲକ ଅନ୍ତର୍ଗତ କଲାପାଣି ଗ୍ରାମର ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ଏଥର ଧାନଫସଲ ଭଲ ହୋଇଥିଲା। କିନ୍ତୁ ବାତ୍ୟା ପ୍ରଭାବରେ ପବନ ବହିବାରୁ କେଣ୍ଡା ସହ ଧାନଗଛଗୁଡ଼ିକ ଜମିରେ ପଡ଼ି ନଷ୍ଟ ହୋଇଯାଇଛି। ଫଳରେ ଜିଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ବ୍ୟବସ୍ଥା କରିବା ପାଇଁ ସେ ଦାବି କରିଛନ୍ତି।
ସେହିପରି ଗାଇସୀମା ଗ୍ରାମର ଚାଷୀ ନିରଞ୍ଜନ ପ୍ରଧାନ କହିଛନ୍ତି, ଫସଲରେ ରୋଗପୋକ ଚିନ୍ତା ବଢ଼ାଇଥିଲା। କୀଟନାଶକ ପ୍ରୟୋଗ ପରେ କିଛି ଫସଲ ରୋଗପୋକରୁ ରକ୍ଷା ପାଇଥିଲା। ଏବେ ବାତ୍ୟା ପ୍ରଭାବରେ ତାହା ବି ଉଜୁଡ଼ିଗଲା ବୋଲି ସେ ପ୍ରକାଶ କରିଛନ୍ତି।