ଏବେ ବି ଫେରୁଛନ୍ତି ପ୍ରବାସୀ

ଭଦ୍ରକ ଅଫିସ, ୧୩ା୭: ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୪ ଛୁଇଁଛି।  ସରକାରୀ ଭାବେ ଜିଲାରେ ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହା ୨ ବୋଲି କୁହାଯାଉଛି। ମୁଖ୍ୟତଃ ଭଦ୍ରକ ଜିଲାକୁ ପଶ୍ଚିମବଙ୍ଗ ଫେରନ୍ତା କାଳ ସାଜିଛନ୍ତି। ପ୍ରଥମେ ଦିଲ୍ଲୀ ଫେରନ୍ତା ଓ ପରେ ପଶ୍ଚିମବଙ୍ଗ ଫେରନ୍ତା ଜିଲାବାସୀଙ୍କ ନିଦ ହଜାଇ ଦେଇଛନ୍ତି। ବର୍ତ୍ତମାନ ସଙ୍ଗରୋଧ ବାହାରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ସରକାରୀ ଭାବେ ଘୋଷଣା ହୋଇଥିବା ମୃତକ ଜଣକ ଜଣେ ଘରୋଇ ଚିକିତ୍ସକ ହୋଇଥିବାରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହେବାରେ ସମସ୍ୟା ଦେଖାଦେଇଛି। ରୋଗୀ ଦେଖା ରେଜିଷ୍ଟର୍‌ରେ ରୋଗୀଙ୍କ ନାମ ଉଲ୍ଲେଖ ହୋଇ ନ ଥିବାରୁ ଠିକ୍‌ ଭାବେ କଣ୍ଟାକ୍ଟ ଟ୍ରେସିଂ ହୋଇପାରୁ ନ ଥିବା ଦାୟିତ୍ୱରେ ଥିବା ଜଣେ ଡାକ୍ତର କହିଛନ୍ତି। ଏବେ ମଧ୍ୟ ଜିଲାକୁ ପ୍ରବାସୀ ଫେରୁଥିବା କାରଣରୁ ଜିଲା ପ୍ରଶାସନ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି।
ସରକାରୀ ରେକର୍ଡ଼ ମୁତାବକ ୩୮,୩୭୬ ହଜାର ପ୍ରବାସୀ ଜିଲାକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ମାତ୍ର ୧୧ହଜାର ସ୍ବାବ୍‌ ପରୀକ୍ଷା କରାଯାଇଛି। ଯେତେ ଅଧିକ ପରୀକ୍ଷା କରାଯାଉଛି ଆକ୍ରାନ୍ତଙ୍କ ସଂଖ୍ୟା ସେତେ ବୃଦ୍ଧି ପାଉଛି। ଜିଲାରେ ଥିବା ୧୫୯ ସଙ୍ଗରୋଧ କେନ୍ଦ୍ର(ଟିଏମ୍‌ସି)ରେ ଏବେ ମଧ୍ୟ ୩,୦୭୩ ଜଣ ପ୍ରବାସୀ ରହିଥିବା ସୂଚନା ମିଳିଛି। ଭଦ୍ରକ ବ୍ଲକର ୨୧ଟି କେନ୍ଦ୍ରରେ ୩୮୪, ବାସୁଦେବପୁର ବ୍ଲକର ୧୩ଟି କେନ୍ଦ୍ରରେ ୩୧୭, ଧାମନଗରର ୩୧ଟି କେନ୍ଦ୍ରରେ ୫୮୦, ଚାନ୍ଦବାଲିର ୨୭ଟି କେନ୍ଦ୍ରରେ ୫୪୭, ତିହିଡ଼ିର ୨୬ଟି କେନ୍ଦ୍ରରେ ୪୬୬, ବନ୍ତର ୧୧ଟି କେନ୍ଦ୍ରରେ ୩୯୯ ଏବଂ ଭଣ୍ଡାରିପୋଖରୀର ୨୩ଟି କେନ୍ଦ୍ରରେ ୨୬୦ ଜଣ ପ୍ରବାସୀ ରହୁଛନ୍ତି। ସେହିଭଳି ଭଦ୍ରକ ପୌରପାଳିକାର ୩ଟି କେନ୍ଦ୍ରରେ ୭୩, ବାସୁଦେବପୁର ପୌରପାଳିକାର ୨ଟି କେନ୍ଦ୍ରରେ ୧୬, ଚାନ୍ଦବାଲି ଏନ୍‌ଏସିରେ ଗୋଟିଏ କେନ୍ଦ୍ରରେ ୧୩ ଏବଂ ଧାମନଗର ଏନ୍‌ଏସିର ଗୋଟିଏ କେନ୍ଦ୍ରରେ ୧୮ଜଣ ପ୍ରବାସୀ ଏବେ ରହୁଛନ୍ତି। କେବଳ ଲକ୍ଷଣ ଥିବା ପ୍ରବାସୀଙ୍କ ସ୍ବାବ୍‌ ପରୀକ୍ଷା କରାଯାଉଥିବାରୁ ଅଳ୍ପ ସଂଖ୍ୟକ ରୋଗୀ ଚିହ୍ନଟ ହୋଇପାରୁଛନ୍ତି। ସରକାରୀସ୍ତରରେ ଯଦି ସମସ୍ତ ପ୍ରବାସୀଙ୍କ ପରୀକ୍ଷା କରାଯାଇ ପାରିଥାନ୍ତା ତେବେ ରୋଗୀ ଚିହ୍ନଟ ସୁବିଧାଜନକ ହୋଇପାରନ୍ତା ଓ ଲୋକାଲରୁ ଚିହ୍ନଟ ହୋଇପାରି ନ ଥାନ୍ତା ବୋଲି ମତପ୍ରକାଶ ପାଇଛି।