ଆଇଏମ୍‌ଡିର ବଡ଼ ଚେତାବନୀ, ମେ’ରେ ସ୍ବାଭାବିକଠାରୁ ହେବ ଅଧିକ ବର୍ଷା

ନୂଆଦିଲ୍ଲୀ,୧।୫: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମେ ମାସରେ ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆରୁ ଆରମ୍ଭ କରି ଉତ୍ତର-ପୂର୍ବ ଭାରତରେ କାଳବୈଶାଖୀ ଏବଂ ପ୍ରାକ୍‌-ମୌସୁମୀ ବର୍ଷା ଗ୍ରୀଷ୍ମ ପ୍ରବାହରୁ ବଡ଼ ଧରଣର ମୁକ୍ତି ମିଳିପାରେ।

IMDର ପୂର୍ବାନୁମାନ ମେ, ମାସରେ ଦେଶରେ ସ୍ବାଭାବିକଠାରୁ ୧୧୦ ପ୍ରତିଶତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତରେ ଭଲ ବର୍ଷା ହେବାକୁ ଥିବାବେଳେ ପୂର୍ବ ଏବଂ କେନ୍ଦ୍ରୀୟ ଭାରତରେ ବର୍ଷାର ପରିମାଣ କମ୍‌ ରହିବ। ଏପରିକି ମେ ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସହ ୪୦ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି।

ପାଣିପାଗ ବିଭାଗ ସୂଚନା ମୁତାବକ, ୧୯୭୧ରୁ ୨୦୨୦ ପର୍ଯ୍ୟନ୍ତ ହାରାହାରି ୬୪.୧ ମିଲିମିଟର ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ରେକର୍ଡ କରାଯାଇପାରେ। ମେ ୩ରୁ ୬ ତାରିଖ ମଧ୍ୟରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଏବଂ ଉତ୍ତର ଭାରତ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତେବେ ପଶ୍ଚିମବଙ୍ଗ, ସିକିମ ଏବଂ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଏହି ବର୍ଷା ତାପମାତ୍ରାରୁ ତ୍ରାହି ମିଳିବା ସହ ଚାଷ କାର୍ଯ୍ୟ ପାଇଁ ସହାୟକ ହେବ। ହେଲେ କମ୍‌ ସମୟ ମଧ୍ୟରେ ଅଧିକ ବର୍ଷା ହେଲେ ଫସଲ ହାନି ଏବଂ ସହରାଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ଏବଂ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Share