ସର୍ଭିସ ରୋଡ୍‌ରେ ବେଆଇନ ପାର୍କିଂ

କେନ୍ଦୁଝର,୨୬ା୮ (ସ୍ବ.ପ୍ର.): କେନ୍ଦୁଝର ସହର ନିକଟ ଏନ୍‌ଏଚ୍‌ ୪୯ର ଗଉଡୁଣିବେଡ଼ା-ଧ୍ରୂପଦା ସର୍ଭିସ ରୋଡରେ ବେଆଇନ ଗାଡ଼ି ପାର୍କିଂ ଯୋଗୁ ଏହି ରାସ୍ତା ଉପରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ସମସ୍ୟା ସୃଷ୍ଟି ହେଉଛି। କେନ୍ଦୁଝରରୁ ଧ୍ରୂପଦା ରାସ୍ତାର ଗୋଟିଏ ପାର୍ଶ୍ୱରେ ଟ୍ରକ୍‌ ବେଆଇନ ପାର୍କିଂ କରାଯାଉଥିବାବେଳେ ଅପରପାର୍ଶ୍ୱରେ ବିଭିନ୍ନ ସୋ ରୁମର ଗାଡି ଗୁଡ଼ିକ ଛିଡା ହୋଇ ରହୁଛି। ଫଳରେ ଏହି ସର୍ଭିସ ରୋଡରେ ଯିବା ଆସିବା କରିବାକୁ ଲୋକ ନିରାପଦ ମଣୁନାହାନ୍ତି। ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ସର୍ଭିସ ରୋଡ କରାଯାଇଛି। ଏହି ସ୍ଥାନରେ ଗାଡି ପାର୍କିଂ ପାଇଁ କଟକଣା କରାଯାଇଛି। ମାତ୍ର ଏହା ସତ୍ତ୍ୱେ ବେଆଇନ ପାର୍କିଂ ହେଉଛି। ସର୍ଭିସ ରୋଡରେ ଘଣ୍ଟା ଘଣ୍ଟା ଧରି ଯାନବାହନ ପାର୍କିଂ ହୋଇ ରହୁଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ଭାରିଯାନ ପାର୍କିଂ ଯାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟିଛି। ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ବଢୁଛି। ସର୍ଭିସ ରୋଡରେ ବେଆଇନ ପାର୍କିଂ କରିବା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଜରିମାନା ଆଦାୟ ସହିତ ଗାଡି ପାର୍କିଂ ନ କରିବା ପାଇଁ ସୂଚନା ଫଳକ ଲଗାଇବାକୁ ଦାବି ହୋଇଛି। ଏଥିପ୍ରତି ଜାତୀୟ ରାଜପଥ ପ୍ରାଧୀକରଣ, ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ମିଳିତ ଭାବେ ପଦକ୍ଷେପ ନେବା ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।