ଦୁର୍ଘଟଣା ବଢ଼ାଉଛି ବେଆଇନ ପାର୍କିଂ

ଚମ୍ପୁଆ,୨୧ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳିଠାରୁ ବାସୁଦେବପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଦୁର୍ଘଟଣାର କାରଣ ସାଜୁଛି। ବିଗତ କିଛି ଦିନ ହେବ ୫୨୦ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟୁଥିଲେ ହେଁ ସମସ୍ୟା ସୁଧୁରିବା ପରିବର୍ତ୍ତେ ଜଟିଳ ହେବାରେ ଲାଗିଛି। ଦୈନଦିନ ଏହି ଜାତୀୟ ରାଜପଥ ଦେଇ ଅନେକ ହଜାର ଟ୍ରକ ଓ ଟ୍ରେଲର ଯୋଗେ ଖଣିଜ ଯୋଡ଼ା ଓ ବଡ଼ବିଲ ଖଣିଜ ଅଞ୍ଚଳରୁ ପାରାଦୀପ ଗୋପାଳପୁର, ଝାଡ଼ଖଣ୍ଡ ଆଦି ଅଞ୍ଚଳକୁ ପରିବହନ କରାଯାଉଛି। ଉକ୍ତ ଗାଡ଼ି ଗୁଡିକ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ କରୁଥିବାରୁ ଦୁର୍ଘଟଣା ଘଟୁଛି। ଚମ୍ପୁଆ ଥାନା ଅଧିକାରୀ ତ୍ରୀନାଥ ସେଠୀ କହିଛନ୍ତି, ନିୟମିତ ଭାବରେ ଯାଞ୍ଚ କରାଯିବା ସହ ବେଆଇନ ପାର୍କିଂ କରିଥିବା ଗାଡ଼ିଗୁଡିକରୁ ଜରିମାନ ଆଦାୟ କରାଯାଉଛି। ଆଗକୁ ମଧ୍ୟ ଏହା ଜାରି ରହିବ।