ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି । ଗିରଫ ଦୋକାନୀ ଜଣକ ଆନନ୍ଦପୁର ଗ୍ରାମ ୬ ନମ୍ବର ୱାର୍ଡର ବାସିନ୍ଦା ଗୋବିନ୍ଦ ରାମଙ୍କ ପୁତ୍ର ଦନେଇ ଓରଫ ମହେଶ୍ୱର ରାମ(୬୫) ଅଟନ୍ତି । ସୂଚନା ଅନୁସାରେ ଆନନ୍ଦପୁର ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ଗୋଟିଏ ଦୋକାନରେ ବିଦେଶୀ ମଦର ଅବୈଧ ବିକ୍ରି ଏବଂ ଖୋଲାଖୋଲି ଭାବେ ସେବନ କରୁଥିବା ବିଷୟରେ ନିର୍ଭରଯୋଗ୍ୟ ସୂଚନା ପୋଲିସକୁ ମିଳିଥିଲା। ଏହା ବ୍ୟତୀତ ସୂଚନା ମିଳିଥିଲା ଯେ କେବଳ ଡ୍ରାଇଭର ଓ କଣ୍ଡକ୍ଟରମାନେ ନୁହେଁ, ବହୁ ଯୁବକ ମଧ୍ୟ ଉକ୍ତ ସାର୍ବଜନିକ ସ୍ଥାନରେ ମଦ କିଣି ଖୋଲାଖୋଲି ସେବନ କରୁଛନ୍ତି। ଯାହା ଫଳରେ ଯାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସୁବିଧା, ଭୟ ଓ ଅସୁରକ୍ଷା ସୃଷ୍ଟି ହେଉଥିଲା। ସୂଚନା ପାଇବା ପରେ ସୋମବାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତ ଦନେଇକୁ ଧରି ଅଟକ ରଖାଯାଇଥିଲା। ତଲାସୀ ସମୟରେ ତାଙ୍କ ପାଖରୁ ୨.୫ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଯାହାକୁ ନିୟମ ଅନୁସାରେ ଜବତ କରାଯାଇଛି । ଅପର ପକ୍ଷେ ଅଭିଯୁକ୍ତ କୌଣସି ବୈଧ ଅନୁମତି ବିନା ସାର୍ବଜନିକ ସ୍ଥାନରେ ବିଦେଶୀ ମଦ ଅବୈଧ ଭାବେ ଗଚ୍ଛିତ ରଖି ବିକ୍ରି କରୁଥିବା ଦେଖାଯିବାରୁ ଏବଂ ଏହା ଦ୍ୱାରା ସାର୍ବଜନିକ ଶୃଙ୍ଖଳା ଭଙ୍ଗ ହେଉଥିବା ଓ ଆଇନର ବ୍ୟବସ୍ଥା ଉଲ୍ଲଂଘନ ହେଉଥିବାରୁ ତାଙ୍କ ବରୋଧରେ ଆନ୍ଦପୁର ଥାନାରେ ମାମଲା ରୁଜୁ କରାଯାଇଛି । ତେବେ ତଦନ୍ତ ଜାରି ରହିଛି ବୋଲି ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି ।