ଅଭିଯୋଗ ପରେବି ଥମୁନି ଚୋରା ମଦ ବେପାର, ଡବେରୀ ଗ୍ରାମବାସୀ….

ଦାରିଙ୍ଗବାଡି,୨୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଅଞ୍ଚଳରେ ବେଧଡ଼କ ଚାଲିଛି ଚୋରା ମଦ ବେପାର । ଏହାକୁ ନେଇ ଗ୍ରାମ୍ୟ କମିଟି ଓ ବିର୍ଷାମୁଣ୍ଡା ଯୁବକ ସଙ୍ଘ ପକ୍ଷରୁ ବାରମ୍ବାର ବୈଠକ କରି ଗାଁରେ ଏହି ବ୍ୟବସାୟୀଙ୍କୁ ମଦ ବ୍ୟବସାୟକୁ ବନ୍ଦ କରିବାକୁ ପରାମର୍ଶ ଦେବା ସହ ଥାନାରେ ଏବଂ ଅବକାରୀ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ବନ୍ଦ ହେଉନାହିଁ । ଫଳରେ ଅଞ୍ଚଳରେ ଏକାଧିକ ପରିବାରର ପୁରୁଷମାନେ ଦେଶି ମଦ ପିଇବା ଦ୍ୱାରା ସ୍ୱାସ୍ଥ୍ୟହାନି ସହ ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଛନ୍ତି । ତେଣୁ ପୁଣି ଗାଁରେ ନିଷ୍ପତ୍ତି କ୍ରମେ ଗୁରୁବାର ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମ୍ୟ କମିଟି, ଲୋକ ପ୍ରତିନିଧି ମିଳିତ ଭାବେ ଅବକାରୀ ଥାନାରେ ଥାନା ଅଧିକାରୀ ଭୂପତି ମହାପାତ୍ର ଏବଂ ଥାନାରେ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପତ୍ରରେ ସେମାନେ ଏହି ବ୍ୟବସାୟରେ ଲିପ୍ତ ରହିଥିବା ବ୍ୟକ୍ତିଙ୍କ ନାମ ଗୁଡିକ ମଧ୍ୟ ଜଣାଇଛନ୍ତି । ସେମାନେ ଉକ୍ତ ଅଭିଯୋଗ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ଗତ ମେ ୧୬ ଏବଂ ସେପ୍ଟେମ୍ବର ୧୯ ରେ ମଧ୍ୟ ଲିଖିତ ଆକାରରେ ଜଣାଯାଇଥିଲେ ମଧ୍ୟ ଉଭୟ ଥାନା ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ ଅଭିଯୋଗକାରୀମାନେ ଆସନ୍ତୁଷ୍ଟ ରହିଛନ୍ତି । ଉଭୟ ଥାନା ପକ୍ଷରୁ ପଦକ୍ଷେପ ନିଆଯାଉଛି କିନ୍ତୁ ସେମାନେ ଜାମିନରେ ଆସିବା ପରେ ପୁନଃ ଏହି ବ୍ୟବସାୟ କରୁଥିବା କୁହାଯାଇଛି । ଆଗକୁ ପୁଣି ଚଢ଼ାଉ କରି ପଦକ୍ଷେପ ନିଆଯିବ ବୋଲି ଅଭିଯୋଗକାରୀଙ୍କୁ ପ୍ରତିଶୃତି ମିଳିଥିବା କୁହାଯାଇଛି । ଗାଁର ୱାର୍ଡ ସଭ୍ୟ ଅର୍ପା ପ୍ରଧାନ, ପ୍ରମିଳା ପ୍ରଧାନ, ସୁନିତା ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ରାଜୁ ପ୍ରଧାନ, ବିର୍ଷାମୁଣ୍ଡା ଯୁବ ସଙ୍ଘ ସଭାପତି ଦୀପକ ପ୍ରଧାନ, ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ, ସୁଶାନ୍ତ ମଳିକ, ପ୍ରତିମା ପ୍ରଧାନ, ନୀଳମ୍ବର ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଗ୍ରାମବାସୀ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Share