ବେଆଇନ ପ୍ରବାସନ ବିଲ: ଲଣ୍ଡନ ରାଜରାସ୍ତାରେ ପ୍ରଦର୍ଶନ…

ଲଣ୍ଡନ,୧୯।୩ : ପ୍ରଧାନମନ୍ତ୍ରୀ ଋଷି ସୁନକ ସରକାରଙ୍କ ବେଆଇନ ପ୍ରବାସନ ବିଲ ବିରୋଧରେ ହଜାର ହଜାର ବିକ୍ଷୋଭକାରୀ ଲଣ୍ଡନର ରାଜରାସ୍ତାରେ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀୟ ଲଣ୍ଡନର ବିବିସି ମୁଖ୍ୟାଳୟ ବାହାରେ ପୋର୍ଟଲାଣ୍ଡ ପ୍ଲେସରେ ବିକ୍ଷୋଭକାରୀମାନେ ‘ଏଠାରେ ଶରଣାର୍ଥୀଙ୍କୁ ସ୍ବାଗତ’ ସ୍ଲୋଗାନ ଦେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଆନାଡୋଲୁ ଏଜେନ୍ସି ଅନୁଯାୟୀ ଷ୍ଟାଣ୍ଡ ଅପ ଟୁ ଜାତିଭେଦ ଗୋଷ୍ଠୀ ଦ୍ୱାରା ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ଏହାକୁ ଷ୍ଟପ ୱାର୍‌ ସମନ୍ବୟ ସମିତି, ବ୍ଲାକ ଲାଇଭସ ମ୍ୟାଟର୍‌, ମୁସଲିମ ଏବଂ ଇହୁଦୀ ସମାଜ ତଥା ଅନେକ ୟୁନିଅନ ଓ ପରିବେଶ ସଂଗଠନ ସମେତ ବିଭିନ୍ନ ଗୋଷ୍ଠୀ ତଥା ସଂଗଠନ ସମର୍ଥନ କରିଥିଲେ।

ପ୍ରଦର୍ଶନକାରୀମାନେ କଞ୍ଜେରଭେଟିବ ପାର୍ଟିର ପ୍ରବାସନ ନୀତିକୁ ପ୍ରତ୍ୟାଖ୍ୟାନ କରିବା ସହିତ ବିବାଦୀୟ ରୁୱାଣ୍ଡା ଯୋଜନା ଏବଂ ସମ୍ପ୍ରତି ବେଆଇନ ପ୍ରବାସନ ବିଲ ନେଇ ଦେଶର ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନଙ୍କୁ କଡ଼ା ସମାଲୋଚନା କରିଥିଲେ। ରାଲିରେ ବିକ୍ଷୋଭକାରୀଙ୍କ ଦ୍ୱାରା ନିଆଯାଇଥିବା ବ୍ୟାନରରେ ନିର୍ବାସନ ବନ୍ଦ କର ଏବଂ ’ଆଶ୍ରୟ ନେବା ଅପରାଧ ନୁହେଁ ବୋଲି ଲେଖାଥିଲା। ପରେ ବିକ୍ଷୋଭକାରୀମାନେ ଡାଉନିଂ ଷ୍ଟ୍ରିଟ ଆଡକୁ ଯାତ୍ରା କରିଥିଲେ।

Share