ବେଆଇନ ପାହାଡ଼ ବ୍ଲାଷ୍ଟିଂକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୭।୧୧: ନୟାଗଡ଼ ଜିଲାରେ ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଖଣିରେ ବେଆଇନ ଖନନ ଓ ବିସ୍ଫୋରଣରେ ଲଗାମ ନ ଥିବାରୁ ସରକାର କ୍ଷତି ସହୁଛନ୍ତି। ୩ ମାସରେ ଥରେ ମାପଚୁପ କରି ଅପଡେଟ୍‌ କରାଯିବାକୁ ନିୟମ ରହିଛି। କିନ୍ତୁ ମାପଚୁପ ଓ ଧରପଗଡ଼ କରା ନ ଯାଇ ଅନୁକମ୍ପା ଦେଖାଯାଉଛି। ଥରେ ଲିଜ୍‌ ହୋଇଗଲେ ତଦନ୍ତ ହେଉ ନ ଥିବାରୁ ଖଣିରେ ଅନିୟମିତତା ବଢ଼ୁଛି। ଏଣୁ ଲିଜ୍‌ଧାରୀ ବର୍ଷକୁ ୧୯୮୦ କ୍ୟୁବିକ୍‌ ମିଟର ଧାର୍ଯ୍ୟ ଲକ୍ଷ୍ୟକୁ ୧୫ ଦିନରେ ଶେଷ କରି ଅଧିକ ଖନନ କରି ଲାଭବାନ୍‌ ହେଉଛନ୍ତି। ଅନ୍ୟପକ୍ଷେ ପାହାଡ଼ରେ ବ୍ଲାଷ୍ଟିଂ ସମୟରେ ନିକଟବର୍ତ୍ତୀ ଗ୍ରାମର ଘରଗୁଡିକରେ ଲୋକେ ଭୂକମ୍ପ ହେଲା ଭଳି ଅନୁଭବ କରୁଛନ୍ତି। ସରକାରୀ ଭାବେ ବ୍ଲାଷ୍ଟିଂକୁ ମନା କରାଯାଇଥିବାବେଳେ ତାହାକୁ କେହି ମାନୁନାହାନ୍ତି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିଜିଓନାଲ ଶାଖା, ବ୍ରହ୍ମପୁରରୁ ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ ରଣପୁର ତହସିଲର କୋଟଗଡ଼ଠାରେ ୨ଟି ଛାଞ୍ଚୁଣିଆ ଓ ଛପାରି ପୋଇଲିମା, ଓଡ଼ଗାଁ ତହସିଲର ଟାଙ୍ଗରା ଓ ଧବଳାଇ କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ସେହିପରି ଖଣ୍ଡପଡ଼ା ତହସିଲର ବରଗଣ୍ଡା, ଦଶପଲ୍ଲା ତହସିଲର ଭାତଗଡ଼, ଡିମିରିତାଡି, ଗୁଣ୍ଠାପାଜୁ ଓ ପୋଇବାଡ଼, ଭାପୁର ତହସିଲର କାଶିଆ ପାହାଡ଼ରେ ୨ଟି ଭୋକିଲାପଡ଼ା, ଗୋପାଳପ୍ରସାଦ ମୁଣ୍ଡିଆ ପ୍ରଭୃତି ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଅନେକ ଲିଜ୍‌ ଖଣିରେ ବେଆଇନ କାର୍ଯ୍ୟକୁ ଲଗାମ ନାହିଁ। ଓଡ଼ଗାଁ ତହସିଲର ପୁଆଣିଆ ନିକଟସ୍ଥ ଟାଙ୍ଗରା ଖଣିକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ୧.୭୫ ଏକରରେ ଖଣି ଖନନ ହେବାକୁ ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ସ୍ଥାନକୁ ଛାଡ଼ି ଅନ୍ୟତ୍ର ଖୋଳାଯାଉଥିବା ଅଭିଯୋଗ ହୋଇଆସୁଛି। ସେହିପରି ବର୍ଷକୁ ୧୯୮୦ କ୍ୟୁବିକ ମିଟର ଖନନ ହେବାକୁ ଥିବାବେଳେ ମାସକୁ ୪ରୁ ୫ହଜାର କ୍ୟୁବିକ ମିଟର ଖନନ ହେଉଥିବା ଅଭିଯୋଗ ହେଉଛି। ଏଠାରେ ପୁଣି ବ୍ଲାଷ୍ଟିଂ ହେଉଥିବାରୁ ପୁଆଣିଆ, ଆଙ୍ଗିସିଙ୍ଗି ଅଞ୍ଚଳର କେତେଜଣ ଲୋକ ପ୍ରତିବାଦ କରୁଛନ୍ତି। ହେଲେ ସେମାନଙ୍କର ଅଭିଯୋଗକୁ ଅଣଦେଖା କରାଯାଇଛି। ଏ ନେଇ ପରିବେଶବିତ୍‌ ବିଭୂତି ଭୂଷଣ ଦାଶ କୁହନ୍ତି, ଟାଙ୍ଗରା ପାହାଡ଼ ପରି ଜିଲାର ଅନ୍ୟ ଲିଜ୍‌ ଖଣିରେ ଅନିୟମିତତା ବଢ଼ୁଥିବାରୁ ସରକାର ରାଜସ୍ବ ହରାଉଛନ୍ତି। ମାପଚୁପ ଓ ଧରପଗଡ଼ ନ ଥିବାରୁ ଲିଜ୍‌ଧାରୀ ଲାଭବାନ୍‌ ହୋଇ ଚାଲିଛନ୍ତି। ପ୍ରଶାସନର ଅନୁକମ୍ପା ପଛର ବିଷୟକୁ ତଦନ୍ତ କରାଗଲେ ସ୍ବଚ୍ଛତା ଧରାପଡ଼ିବ। ଏ ନେଇ ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ପଚାରିବାରେ କୁହନ୍ତି, ସରକାରୀ ନିୟମ ଅନୁସାରେ ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କିଛି ଅନିୟମିତତାର ଅଭିଯୋଗ ଆସୁଛି, ଧରପଗଡ଼ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।