ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (CDA)ଙ୍କ ମିଳିତ ସହଯୋଗରେ ନୀଳାମ୍ବୁ ଚିଲିକା ଅଞ୍ଚଳରୁ ବେଆଇନ ଘେରି ଉଚ୍ଛେଦ କରାଯାଉଛି।

ଚିଲିକାକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରି ସୁନ୍ଦର ପରିବେଶ ଗଠନ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଚାଲିଥିବା ବେଳେ, ଘେରି ଚାଷ ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ଅଭିଯାନ ସମୟରେ ଚିଲିକାରେ ଥିବା ଜାଲ ବାଡ଼ ଓ ବେଆଇନ ଘେରିଗୁଡ଼ିକୁ ଉଚ୍ଛେଦ କରାଯାଉଛି।ବୁଧବାର ବଜ୍ରକୋଟ ରାଜସ୍ୱ ସର୍କଲ ଅଧୀନ ତାଳତଳା ବାହାର ଚିଲିକା ଅଞ୍ଚଳରେ ପ୍ରାୟ ୧୦୦ ଏକର ପରିମିତ ବେଆଇନ ଜାଲ ଘେରିକୁ ପ୍ରଶାସନ ଉଚ୍ଛେଦ କରିଛି। ଘେରିରେ ବ୍ୟବହୃତ ଜାଲ, କିଳା, ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ପରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ଏହି ଉଚ୍ଛେଦ କାର୍ଯ୍ୟ କୃଷ୍ଣପ୍ରସାଦ ଅତିରିକ୍ତ ତହସିଲଦାର ବିକାଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା। ବାର୍ଜ, JCB ମେଶିନ ଏବଂ ପ୍ରାୟ ୩୦ ଜଣ ଶ୍ରମିକ ଏହି ଅଭିଯାନରେ ନିୟୋଜିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୃଷ୍ଣପ୍ରସାଦ ଥାନାର ସବ୍-ଇନ୍ସପେକ୍ଟର ପ୍ରଫୁଲ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଏହି ଅଭିଯାନରେ ତହସିଲ ରାଜସ୍ୱ ସୁପରଭାଇଜର ବିଜୟରାଜ ସାହୁ, ବଜ୍ରକୋଟ ରାଜସ୍ୱ ନିରୀକ୍ଷକ ପ୍ରଦୀପ କୁମାର ସାହୁ, ଚିଲିକା ନୂଆପଡ଼ା ରାଜସ୍ୱ ନିରୀକ୍ଷକ ମୋହନ କୁମାର ସ୍ୱାଇଁଙ୍କ ସମେତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀମାନେ ସହଯୋଗ କରିଥିଲେ।ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ, ଚିଲିକାକୁ ସମ୍ପୂର୍ଣ୍ଣ ଘେରିମୁକ୍ତ କରିବା ପର୍ଯ୍ୟନ୍ତ ଏହି ଉଚ୍ଛେଦ ଅଭିଯାନ ଜାରି ରହିବ।

Dharitri – Odisha’s No.1 Odia Daily