ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୯।୧(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତସହିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ସମିଆ, ଶାଳପଡ଼ା ଓ ବୈରୀ ପଞ୍ଚାୟତରେ ବ୍ୟାପକ ଭାବରେ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏଥିରୁ କୌଣସି ଗୋଟିଏ ବି ଖାଦାନକୁ ଲିଜ୍‌ ଦିଆ ଯାଇ ନ ଥିଲେ ମଧ୍ୟ ଜିଲା ଓ ତହସିଲ ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ପାଲଟିଛନ୍ତି। ଏପରି କି ବୈରୀ ପୋଲିସ ଥାନାଦେଇ ଗାଡ଼ିଗୁଡ଼ିକ ଆସୁଥିବା ବେଳେ ପୋଲିସ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। କେବଳ ଲୋକଙ୍କୁ ଭୁଲ କହିବା ପାଇଁ ଏହା ଯାଜପୁର ଜିଲାରେ ନୁହେଁ କଟକ ଜିଲାରେ ଚାଲିଥିବା ସୂଚନା ଦେଉଛନ୍ତି।
ସୂଚନା ଥାଉକି, ଦୀର୍ଘ ଦିନ ହେବ ଏହି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏପରିକି ଜଙ୍ଗଲ ଜମିରେ ମଧ୍ୟ ବେଆଇନ ଭାବରେ ମାଙ୍କଡ଼ା ଖାଦାନ କରାଯାଉଛି। ବୈରୀ ପଞ୍ଚାୟତର ବଗଉ ଓ ଝାଟିଆଠାରେ ଏକ ସିମେଣ୍ଟ କାରଖାନା ସନ୍ନିକଟରେ ଏଭଳି ଦିନ ରାତି ମେଶିନ ଲଗାଇ ମାଙ୍କଡ଼ା ଖନନ କରାଯାଇ ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁର ଜିଲାକୁ ଚାଲାଣ ହେଉଛି। ବିଳମ୍ବିତ ରାତ୍ରିରେ ଟ୍ରକ୍‌ ଯୋଗେ ଏହା ବାହାରକୁ ଚାଲାଣ ହେଉଛି। ଏହି ଚୋରା ମାଙ୍କଡ଼ା ବ୍ୟବସାୟ ଦୀର୍ଘ ବର୍ଷ ଧରି ଚାଲୁଥିଲେ ମଧ୍ୟ କେବେ ବି ସମ୍ପୃକ୍ତ ଖାଦାନ ମାଲିକଙ୍କୁ ଧରାଯାଇ ନାହଁି କିମ୍ବା ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହଁି। ଏଥିଯୋଗୁ ବ୍ୟାପକ ରାଜସ୍ବ କ୍ଷତି ଘଟୁଛି। ଗତ ୨ ବର୍ଷ ଭିତରେ ଏହି ଅଞ୍ଚଳରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ମାଙ୍କଡ଼ା ଚାଲାଣ ହୋଇ ସାରିଲାଣି। ଏହାକୁ ପ୍ରଶାସନିକ ଅଧିକାରୀମାନେ ଜାଣିଥିଲେ ମଧ୍ୟ ସେଥିପ୍ରତି ସେଭଳି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନାହଁି।
ତତ୍କାଳୀନ ଆର୍‌ଡିସି ଅରବିନ୍ଦ ପାଢ଼ୀ ଏହି ଖାଦାନଗୁଡ଼ିକରେ ଅଚାନକ ଚଢ଼ାଉ କରି ବହୁ ମେଶିନ୍‌ ଓ ଟ୍ରକ୍‌ ଜବତ କରିଥିଲେ। ଏଥିରେ ସମ୍ପୁକ୍ତ ଥିବା ୬ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ସେହିଦିନଠାରୁ ଦୀର୍ଘ ୩ ବର୍ଷ ବେଆଇନ ମାଙ୍କଡ଼ା ଖନନ ବନ୍ଦ ହୋଇଯାଇଥିଲା ବେଳେ ପୁନର୍ବାର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ତେଣୁ ତୁରନ୍ତ ଏହି ବେଆଇନ ଖାଦାନ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବରୁ ସେ କୁହନ୍ତି, ଆମ ଅଞ୍ଚଳରେ ବେଆଇନ ଖାଦାନ ନାହିଁ, ଯାହାଅଛି ସେସବୁ କଟକ ଜିଲାରେ ଅବସ୍ଥିତ।