ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୫।୩(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୫ଟି ପଞ୍ଚାୟତରେ ୧୫ରୁ ଊର୍ଦ୍ଧ୍ୱ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏ ସମ୍ପର୍କରେ ସ୍ଥନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ଦର୍ପଣ ତହସିଲ କର୍ତ୍ତୃପକ୍ଷ ଓ ବୈରୀ ଥାନା ପୋଲିସ ଏ ସମ୍ପର୍କରେ ଜାଣିଥିଲେ ମଧ୍ୟ ନୀରବ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଜାନୁୟାରୀ ୨୯ରେ ଧରିତ୍ରୀରେ ‘ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ’ ଶୀର୍ଷକ ଖବର ପ୍ରକାଶ ପରେ ଯାଜପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ବୈରୀ ଥାନାକୁ ଗସ୍ତ ସମୟରେ ଛଚିଆ ବୈରୀ ମଧ୍ୟରୁ ଦୁଇଟି ମାଙ୍କଡ଼ା ବୋଝେଇ ଟ୍ରକ ଜବତ କରିଥିଲେ। ଏହାପରେ କୌଣସି ବିଭାଗୀୟ ଅଧିକାରୀ ଚଢ଼ାଉ କରୁନାହାନ୍ତି। ଫଳରେ ଦୈନିକ ଶହ ଶହ ଟ୍ରିପ୍‌ ମାଙ୍କଡ଼ା ବୋଝେଇ ଟ୍ରକ ଛତିଆ-କଳକଳା ରାସ୍ତା ଓ ଶାଳପଡ଼ା-ଦର୍ପଣୀ ରାସ୍ତା ଦେଇ ଯାଉଥିବାବେଳେ ପୋଲିସ କିମ୍ବା ତହସିଲ କର୍ତ୍ତୃପକ୍ଷ ଏହାକୁ କେବେ ଧରିବା ଜଣାପଡୁ ନାହିଁ। ରାସ୍ତାକଡ଼ରେ ବୈରୀ ଥାନା ଥିବାବେଳେ ପୋଲିସ ପଦକ୍ଷେପ ନ ନେବା ଯୋଗୁ କୋଟିକୋଟି ଟଙ୍କାର ରାଜସ୍ବ ହାନି ଘଟୁଛି।
ସୂଚନା ଥାଉକି, ଶାଳପଡ଼ା, ସମିଆ, ବୈରୀ, ପାରିଆ ଆଦି ପଞ୍ଚାୟତରେ ଏହି ଖାଦାନ ଗୁଡ଼ିକ ରହିଛି। ପଥର ମାଫିଆ ଦିନରେ ପଥର କାଟୁଥିବାବେଳେ ସନ୍ଧ୍ୟାପରେ ଏହାକୁ ଟ୍ରକ ଯୋଗେ ବାହାରକୁ ଚାଲାଣ କରୁଛନ୍ତି। ଏପରିକି ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲାକୁ ଏହି ଚୋରା ମାଙ୍କଡ଼ା ପଥର ବ୍ୟାପକ ଭାବେ ଚାଲାଣ ହେଉଛି। ପ୍ରତ୍ୟେକ ବର୍ଷ ଏହି ଚୋରା କାରବାର ଅନାୟସରେ ଚାଲୁଥିବାବେଳେ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ। ୧୫ବର୍ଷ ତଳେ ତତ୍କାଳୀନ ଆରଡିସି ଏହି ବେଆଇନ ମାଙ୍କଡ଼ା ଖାଦାନ ଉପରେ ଚଢାଉ କରି ୬ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ରାଜସ୍ବ ଓ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଏହାପରେ ଦୁଇରୁ ତିନି ବର୍ଷ ଖାଦାନ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ପରେ ଖାଦାନଗୁଡ଼ିକ ଲୁଚା ଛପାରେ ଚାଲୁ ରହିଛି। ଏହି ଚୋରା ବ୍ୟବସାୟରେ କେତେକ ରାଜନୈତିକ ବ୍ୟକ୍ତି ବିଶେଷ ସମ୍ପୃକ୍ତିଥିବାରୁ ପୋଲିସ କିମ୍ବା ତହସିଲ ପ୍ରଶାସନର ହାତ ପାଉନାହିଁ ବୋଲି ଚର୍ଚ୍ଚା ହେଉଛି। ଯଦି ଖାଦାନ ଗୁଡ଼ିବ ବନ୍ଦ ନକରାଯାଏ ତେବେ ରାଜ୍ୟ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଇବେ। ତେଣୁ ଏ ଦିଗରେ ଜିଲାପାଳ ଦୃଷ୍ଟିଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, କେବଳ ପାରିଆ ପଞ୍ଚାୟତରେ ଗୋଟିଏ ଖାଦାନକୁ ନିଲାମ ଦିଆଯାଇଛି। ଅନ୍ୟ କୌଣସି ଖାଦାନକୁ ନିଲାମ ଦିଆଯାଇ ନାହିଁ। ତୁରନ୍ତ ବେଆଇନ ଅନ୍ୟଖାଦାନ ଉପରେ ଚଢ଼ାଉ କରାଯିବ।