ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରୁ ବେଆଇନ ଗଛକଟା

କଣ୍ଟାପଡ଼ା,୧୦ା୨(ଡି.ଏନ୍‌.ଏ.): କଣ୍ଟାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ମୂଲ୍ୟବାନ କଞ୍ଚା ଚାକୁଣ୍ଡା ଗଛ କାଟିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ୬୦ ନଂ. ରାଜ୍ୟ ରାଜପଥ ପାର୍ଶ୍ୱର କଣ୍ଟାପଡ଼ାଠାରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ମୂଲ୍ୟବାନ ଗଛ ରହିଛି। ପୂର୍ତ୍ତ ବିଭାଗ କାର୍ଯ୍ୟାଳୟଠାରୁ ଅଳ୍ପଦୂରରେ ଏକ ମୂଲ୍ୟବାନ ଚାକୁଣ୍ଡା ଗଛ ଥିଲା। ତେବେ ଗଛଟି କାର୍ଯ୍ୟାଳୟ ପ୍ରତି ବିପଦ ସୃଷ୍ଟି କରୁଥିବା ଦର୍ଶାଇ ବୁଧବାର ତାହାକୁ କାଟି ଦିଆଯାଇଥିଲା। ରାଜ୍ୟ ରାଜପଥ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ବିପଦଶଙ୍କୁଳ ଅବସ୍ଥାରେ କେତେକ ଗଛ ରହିଥିବାବେଳେ ଏହାକୁ କାଟିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ବନବିଭାଗ ଅନୁମତି ବିନା କଟାଯାଇ ପାରିବନାହିଁ ବୋଲି ସଫେଇ ଦେଉଛନ୍ତି। ମାତ୍ର ନିଜ କାର୍ଯ୍ୟାଳୟ ପରିସରରୁ ଉକ୍ତ ଗଛ କାଟିବା ପାଇଁ କାହା ଅନୁମତି ନେଇଥିଲେ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଗୋପାଳପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ମନୋଜ କୁମାର ମିଞ୍ଜ କହିଛନ୍ତି, ଗଛ କଟା ସମ୍ପର୍କରେ ମୁଁ ଖବର ପାଇଛି। ତେବେ ଗଛ କାଟିବା ପାଇଁ କାହାର ଅନୁମତି ନିଆଯାଇଛି କି ନାହିଁ ତାହା ମୁଁ ଜାଣିନାହିଁ।